Advertisment

ବଜ୍ରପାତରେ ୩ ମହିଳାଙ୍କ ସମେତ ୪ ମୃତ, ୨ ଗୁରୁତର

ଗୋଟିଏ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି କୋରାପୁଟ ଜିଲ୍ଲାରେ ଘଟିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
People

People

ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୋଟିଏ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି କୋରାପୁଟ ଜିଲ୍ଲାରେ ଘଟିଛି। ୪ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

Advertisment

ଅନୁଗୋଳ ଜିଲ୍ଲାରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ମହିଳା ଦ୍ୱୟ ହେଉଛନ୍ତି ସୁଷମା ବେହେରା ଓ ପେନି ବେହେରା। ଆହତ ଦ୍ୱୟ ହେଉଛନ୍ତି ଅଜୟ ବେହେରା ଓ କୁଆଁରୀ ବେହେରା। ଏମାନେ ସମସ୍ତେ ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁର। ସେମାନେ ଶୁଖିଲା କାଠ ସଂଗ୍ରହ କରି ଫେରୁଥିବା ବେଳେ ଗାଁ ପାଖ ଆସପଣ୍ଡ ପାଖରେ ବଜ୍ରପାତ ହୋଇଥିଲା। ଫଳରେ ସୁଷମା ଓ ପେନିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଅଜୟ ଓ କୁଆଁରୀଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସେହିପରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ ବଜ୍ରପାତରେ ଜଣେ ମହିଳା ଓ ତାଙ୍କ ପୁଅଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗାଁର ଲିଙ୍ଗରାଜ ହାଲବାଙ୍କ ପତ୍ନୀ ଦୁରୁବତୀ ହାଲବା ଓ ପୁଅ ଦୀପକ ହାଲବା। ସେମାନେ ଜମିରେ କାମ କରୁଥିଲେ। ବର୍ଷା ସହିତ ଘଡ଼ଘଡ଼ି ହେବାରୁ ଦୁରୁବତୀଙ୍କ ସ୍ୱାମୀ ଲିଙ୍ଗରାଜ ହାଲବା ଜମିରୁ ଯାଇ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ। ଦୁରୁବତୀ ଓ ଦୀପକ ସେଠାକୁ ଗଲା ବେଳେ ବଜ୍ରପାତରେ ସେମାନଙ୍କ ଜୀବନ ଚାଲି ଯାଇଥିଲା। ସେମାନଙ୍କୁ ବୋରିଗୁମ୍ମା ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଦୀପକ ଦଶମ ଶ୍ରେଣୀରେ ପଢ଼ୁଥିଲେ। ସେ ବାପାମା’ଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରୁଥିଲେ। ଆଖି ସମ୍ମୁଖରେ ପତ୍ନୀ ଓ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ଲିଙ୍ଗରାଜ ହାଲବା।

Lightning Death