Advertisment

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌; ୪ ମୃତ, ୨୩ ଆହତ

ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଖସିଲା ଏକ ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଖସିଲା ଏକ ଯାତ୍ରୀବାହୀ ବସ୍‌। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ୨୩ ଆହତଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ଉତ୍ତର ପ୍ରଦେଶର ୫୭ ଜଣ ତୀର୍ଥ ଯାତ୍ରୀ ‘କ୍ରିଷ୍ନା’ ନାମକ ଏକ ତୀର୍ଥ ଯାତ୍ରୀ ବସ୍‌ ଯୋଗେ କାଳିଆ ସାଆନ୍ତ ଦର୍ଶନ ନିମନ୍ତେ ପୁରୀ ବାହାରିଥିଲେ। ସେମାନେ ଗତ ୧୮ ତାରିଖରୁ ଉତ୍ତରପ୍ରଦେଶରୁ ବାହାରିଥିଲେ। ଗତକାଲି ରାତିରେ ବସ୍‌ଟି କଲିକତାରୁ ପୁରୀ ଅଭିମୁଖେ ବାହାରିଥିଲା।

ମାତ୍ର ରାତି ପ୍ରାୟ ଗୋଟାଏ ସମୟରେ ୬୦ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ବସ୍‌ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଓଲଟି ପଡିଥିଲା ।

Advertisment

ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ୍‌ , ଜଳେଶ୍ୱର ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତୁରନ୍ତ ବସ୍‌ରୁ ଆହତ୨୩ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ ପୁରୁଷ ଓ ଜଣେ ମହିଳା ଅଛନ୍ତି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ବାଲେଶ୍ୱର ପଠାଯାଇଛି। ମୃତକମାନେ ହେଲେ ରାଜେଶ କୁମାର ମିଶ୍ର, କମଳା ଦେବୀ ଯାଦବ , ରାଜ ପ୍ରସାଦ ଯାଦବ, ଶାନ୍ତାରାମ ଯାଦବ ।

ଏହାବାଦ ସୁସ୍ଥ ଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଘରକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରାଯାଉଥିବା ଜଣାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ କାନ୍ଦ ବୋବାଳି ଓ ଚିତ୍କାରରେ ଫାଟି ପଡ଼ିଛି।

Balasore Accident