Advertisment

ରାଜ୍ୟରେ ଅଂଶୁଘାତ ନେଲାଣି ୪୧ ଜୀବନ

ଅଂଶୁଘାତଜନିତ ମୃତ୍ୟୁ ନେଇ ୧୬୧ଟି ଅଭିଯୋଗ ଆସିଥିଲା।

author-image
Jitendra Garnayak
HeatWave

HeatWave

ରାଜ୍ୟରେ ଚଳିତ ବର୍ଷ ଏଯାବତ୍ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ସତ୍ୟବ୍ରତ ସାହୁ ଆଜି ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଅଂଶୁଘାତଜନିତ ମୃତ୍ୟୁ ନେଇ ୧୬୧ଟି ଅଭିଯୋଗ ଆସିଥିଲା। ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ଜିଲ୍ଲାପାଳମାନେ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରୁ ୪୧ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଆଉ କିଛି ସ୍ଥାନରୁ ରିପୋର୍ଟ ଆସି ନାହିଁ। ଆହୁରି ତିନି ଚାରି ଦିନ ଖରା ହୋଇପାରେ। ତେଣୁ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ତେବେ ଜୁନ୍ ୩ ତାରିଖରୁ ଏପର୍ଯ୍ୟନ୍ତ ଆଉ ଅଂଶୁଘାତ ଜନିତ ଅଭିଯୋଗ ଆସିନାହିଁ ବୋଲି ଏସ୍‌ଆରସି କହିଛନ୍ତି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ଉପକୂଳ ଓଡ଼ିଶାରେ ତାତି ଆହୁରି ତିନି ଚାରି ଦିନ କଲବଲ କରିବ। ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ଅଗ୍ରସର ହେବାକୁ ଆହୁରି ସମୟ ଲାଗିବ। ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍‌ ୧ରୁ ଆଜି ଯାଏଁ ରାଜ୍ୟରେ ୪୧% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

Advertisment

ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କୋରାପୁଟ ଛୁଇଁବା ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି ବର୍ଷା। ପଟାଙ୍ଗ, କୋରାପୁଟ, କୁନ୍ଦୁରା ଓ ନନ୍ଦପୁର ଅଂଚଳରେ ବର୍ଷା ହୋଇଛି। ବର୍ଷାକୁ ଦେଖି ଖରିଫ ଚାଷ ପାଇଁ ଚାଷୀମାନେ ସଜବାଜ ହୋଇଛନ୍ତି। କିଛି ସ୍ଥାନରେ ଚାଷୀ ହଳ ଧରିବା ସହ ବିହନ ବି ବୁଣିଥିବା ଦେଖିବାକୁ ମିଳିଛି।

Sun Stroke Heat Stroke