/odisha-reporter/media/post_attachments/uploadimage/library/16_9/16_9_0/IMAGE_1718014388.jpg)
Heat Stroke
ରାଜ୍ୟରେ ୪୧ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ଶବ ବ୍ୟବଚ୍ଛେଦ ଓ ଯୁଗ୍ମ ତଦନ୍ତ ପରେ ଏହା ଜଣାପଡ଼ିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
ସେ କହିଛନ୍ତି, ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୧ଟି ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଛି। ସେଥିରୁ ୪୧ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇସାରିଛି। ୭୩ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଦନ୍ତ ଜାରି ରହିଛି। କିଛି ମୃତଦେହକୁ ପରିବାର ଲୋକ ପୋଷ୍ଟମର୍ଟମ ନ କରି ନେଇ ଯାଇଛନ୍ତି।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଗତକାଲି ୧୬ ଜଣ ଅଂଶୁଘାତ ଯୋଗୁଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଚଳିତ ବର୍ଷ ଏ ଯାଏଁ ୨୨୬୯ ଜଣ ଅଂଶୁଘାତରେ ଚିକତ୍ସିତ ହୋଇଛନ୍ତି । ଯେହେତୁ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଲୋକମାନେ ସତର୍କ ରୁହନ୍ତୁ ବୋଲି ଅନୁରୋଧ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏବେ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି। ତେଣୁ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଅନୁଭୂତ ହେଉଛି। ଆହୁରି ୫ ଦିନ ଧରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ।
ବିଭାଗ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେବା ପାଇଁ ଏବେ ଅନୁକୂଳ ସ୍ଥିତି ନାହିଁ। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ହୋଇ ନ ପାରେ ମୌସୁମୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
