Advertisment

ସପ୍ତଶଯ୍ୟା ପାହାଡ଼ରେ ହଜିଗଲେ ୫ ସାଙ୍ଗ; ରାତିରେ ଖୋଜୁଛି ବନ ବିଭାଗ

ବୁଲାବୁଲି ଭିତରେ ସେମାନେ କେତେବେଳେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ, ଜାଣିପାରିନଥିଲେ। ଆଉ ଜାଣିଲା ବେଳକୁ ସ୍ଥିତି ଅସମ୍ଭାଳ ହୋଇଯାଇଥିଲା। ଫେରିବା ବାଟ ଭୁଲି ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
DKL

DKL

ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇଥିଲେ ୫ ସାଙ୍ଗ। ଘଞ୍ଚ ଜଙ୍ଗଲରେ ବୁଲୁ ବୁଲୁ ହଜିଗଲେ। ଆଉ ଫେରିବାକୁ ବାଟ ପାଇଲେ ନାହିଁ। ଦିନ ଯାଇ ରାତି ହେଲା। ହେଲେ ସେମାନେ ଫେରି ପାରିଲେନାହିଁ। ତେବେ ସନ୍ଧ୍ୟା ବେଳେ ପରିବାର ଲୋକଙ୍କଠାରୁ ସୂଚନା ପାଇ ଢେଙ୍କାନାଳ ବନ ବିଭାଗ ରାତିରେ ଉଦ୍ଧାର କାର୍ଯ୍ୟ ଚଳାଇଛି। ବର୍ଷା ରାତିରେ ଘଞ୍ଚ ଜଙ୍ଗଲରେ ଟର୍ଚ୍ଚ ଲାଇଟ୍‌ ପକାଇ ପିଲାମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟ ଚଳାଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳୁନି। ଏପରିକି ସେମାନଙ୍କ ମୋବାଇଲ୍‌ ଲୋକେସନ୍‌ ମଧ୍ୟ ମିଳୁନି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

Advertisment

କଟକ ଲିଙ୍କ ରୋଡ୍‌ ଅଞ୍ଚଳର ଅରଖିତ ମହାପାତ୍ର, ଶୁଭମ୍‌ ମହାପାତ୍ର, ହିମାଂଶୁ ଦାଶ, ସୁଜିତ ସାହୁ ଓ ଲକି ଦାଶ ଆଜି ସକାଳେ ଢେଙ୍କାନାଳର ସପ୍ତଶଯ୍ୟା ପାହାଡ଼ ବୁଲିବା ପାଇଁ ଯାଇଥିଲେ। ବୁଲାବୁଲି ଭିତରେ ସେମାନେ କେତେବେଳେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ, ଜାଣିପାରିନଥିଲେ। ଆଉ ଜାଣିଲା ବେଳକୁ ସ୍ଥିତି ଅସମ୍ଭାଳ ହୋଇଯାଇଥିଲା। ଫେରିବା ବାଟ ଭୁଲି ଯାଇଥିଲେ। ଦିନ ସାରା ବାଟ ବଣା ପାହାଡ଼ରେ ବୁଲିଥିଲେ। ହେଲେ ଫେରିବାର ରାସ୍ତା ପାଇଲେ ନାହିଁ। ତେବେ ସନ୍ଧ୍ୟା ବେଳେ ସେମାନଙ୍କ ଭିତରେ ଜଣେ ନିଜ ଘରକୁ ଫୋନ୍‌ କରିଥିଲେ। ଆଉ କହିଥିଲେ, ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଆସିଥିଲୁ କିନ୍ତୁ ଫେରିବା ବାଟ ପାଉନୁ।

ଏ କଥା ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ପରିବାର ଲୋକେ ଏନେଇ ଢେଙ୍କାନାଳ ସଦର ଥାନା ପୁଲିସ୍‌ ଓ ସପ୍ତଶଯ୍ୟା ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ତତ୍ପର ହୋଇଥିଲା ସଦର ଥାନା ପୁଲିସ୍‌ ଓ ବନ ବିଭାଗ। ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ ୩ଟି ଟିମ୍‌ ଗଠନ କରିଛି। ସଦର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍‌ ପିଲାମାନଙ୍କୁ ଖୋଜିବା ପାଇଁ ସପ୍ତଶଯ୍ୟା ଜଙ୍ଗଲ ଭିତରକୁ ଯାଇଛି। ଏଥିସହ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଏଲିଫେଣ୍ଟ ସ୍କ୍ୱାର୍ଡଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛି। ପିଲାମାନେ ମିଳିଲେ ପାହାଡ଼ ତଳକୁ ନେଇଆସିବା ପାଇଁ ବନ ବିଭାଗ ପରାମର୍ଶ ଦେଇଛି।

Advertisment

ସେପଟେ ଦେଖିବାକୁ ଗଲେ ପିଲାମାନଙ୍କ ମୋବାଇଲ୍‌ ବନ୍ଦ ରହିଛି। ତେଣୁ ସେମାନଙ୍କୁ ଟ୍ରାକ୍‌ କରି ହେଉନି। ୭ଟି ପାହାଡ଼କୁ ନେଇ ଗଠିତ ସପ୍ତଶଯ୍ୟାଟି ଘଞ୍ଚ ଅରଣ୍ୟ। ତାହାପରେ ପୁଣି ସକାଳଠାରୁ ବର୍ଷା ଲାଗି ରହିଛି। ସନ୍ଧ୍ୟାଠାରୁ ପ୍ରବଳ ବର୍ଷା ଲାଗି ରହିଛି। ଏପରି ସ୍ଥିତିରେ ଘଞ୍ଚ ଜଙ୍ଗଲରେ ଖୋଜିବା ବନ ବିଭାଗ ପାଇଁ କାଠିକର ପାଠ ହେଉଛି। ତଥାପି ବନ ବିଭାଗ ତରଫରୁ ଖୋଜାଖୋଜି ଚାଲିଥିବା ଜଣାପଡ଼ିଛି।

ରିପୋର୍ଟ- ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ

Dhenkanal