Advertisment

ସପ୍ତଶଯ୍ୟା ପାହାଡ଼ରେ ହଜିଥିଲେ ୫ ସାଙ୍ଗ; ରାତି ଅଧରେ ଉଦ୍ଧାର ହେଲେ

ଢେଙ୍କାନାଳ ବନ ବିଭାଗ ଓ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇ ସେମାନଙ୍କୁ ଗତକାଲି ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି।

author-image
Niharika Rout
Rescue Students

Rescue Students

ସପ୍ତଶଯ୍ୟା ପାହାଡ଼ର ଘଞ୍ଚ ଜଙ୍ଗଲରେ ବୁଲୁ ବୁଲୁ ଗତକାଲିଠୁ ବାଟବଣା ହୋଇ ଯାଇଥିବା ୫ ଛାତ୍ରଙ୍କ ପତ୍ତା ମିଳିଲା। ଢେଙ୍କାନାଳ ବନ ବିଭାଗ ଓ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇ ସେମାନଙ୍କୁ ଗତକାଲି ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି।

Advertisment

କଟକ ଲିଙ୍କ ରୋଡ୍‌ ଅଞ୍ଚଳର ଅରକ୍ଷିତ ମହାପାତ୍ର, ଶୁଭମ୍‌ ମହାପାତ୍ର, ହିମାଂଶୁ ଦାଶ, ସୁଜିତ ସାହୁ ଓ ଲକି ଦାଶ ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବା ପାଇଁ ଯାଇଥିଲେ। ବୁଲାବୁଲି ଭିତରେ ସେମାନେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିବା ବେଳେ ଫେରିବା ବାଟ ପାଇ ପାରି ନ ଥିଲେ। ଦିନ ସାରା ବର୍ଷା ଲାଗି ରହି ଥିବାରୁ ରାତି ହେବାରୁ ସ୍ଥିତି ଅସମ୍ଭାଳ ହେବାକୁ ଲାଗିଲା। ଏହାପରେ  ଜଣେ ଛାତ୍ର ନିଜ ଘରକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇ ଉଦ୍ଧାର କରିବାକୁ କହିଥିଲେ।

ଏହା ଶୁଣି ପରିବାର ଲୋକଙ୍କ ବୁଦ୍ଧି ହଜି ଯାଇଥିବା ବେଳେ ସେମାନେ ତୁରନ୍ତ ଢେଙ୍କାନାଳ ସଦର ଥାନା ପୁଲିସ୍‌ ଓ ସପ୍ତଶଯ୍ୟା ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ତତ୍ପର ହୋଇଥିଲା ସଦର ଥାନା ପୁଲିସ୍‌ ଓ ବନ ବିଭାଗ।

Advertisment

ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ ୩ଟି ଟିମ୍‌ ଗଠନ କରିଥିଲା। ସଦର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍‌ ପିଲାମାନଙ୍କୁ ଖୋଜିବା ପାଇଁ ସପ୍ତଶଯ୍ୟା ଜଙ୍ଗଲ ଭିତରକୁ ଯାଇଥିଲେ। ଏଥିସହ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଏଲିଫ୍ୟାଣ୍ଟ ସ୍କ୍ୱାର୍ଡଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଗତକାଲି ସକାଳୁ  ପ୍ରବଳ ବର୍ଷା ଲାଗି ରହିଥିବାରୁ ଘଞ୍ଚ ଜଙ୍ଗଲରେ ପିଲାଙ୍କୁ ଖୋଜିବା ବନ ବିଭାଗ ପାଇଁ କାଠିକର ପାଠ ହୋଇ ପଡ଼ିଥିଲା। ଏହାସତ୍ତ୍ୱେ ରାତି ପ୍ରାୟ ସାଢେ ୧୧ଟା ପରେ ସେମାନଙ୍କୁ ବନ ବିଭାଗ ଓ ପୁଲିସ୍‌ ଟିମ୍‌ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏହାପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଛି।

Dhenkanal Rescue