Fire
ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ। ସେହି ନିଆଁରେ ପୋଡ଼ିହୋଇ ଜୀବନ୍ତ ଜଳିଗଲେ ୫ ବର୍ଷର ଶିଶୁ। ଆଉ ଦୁଇ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି।
ଆଜି ଥିଲା ଗ୍ରାମାଞ୍ଚଳ ଥାନା ବଡ଼ପଡ଼ା ଗାଁର ରତ୍ନାକର ମଳିକଙ୍କ ପୁଅ ବାହାଘର। ତେଣୁ ବରଯାତ୍ରୀଙ୍କ ବାଇକ୍ରେ ପେଟ୍ରୋଲ ପକାଇବା ପାଇଁ ଗୋଟିଏ ଡ୍ରମ୍ରେ ପେଟ୍ରୋଲ ଅଣାଯାଇଥିଲା। ବରଯାତ୍ରୀ ଶୋଭାଯାତ୍ରା ବାହାରିବା ପୂର୍ବରୁ ବାଇକ୍ରେ ଯାଉଥିବା ଲୋକଙ୍କୁ ପେଟ୍ରୋଲ୍ ବଣ୍ଟା ଯାଉଥିଲା। ଜଣେ ପରେ ଜଣେ ଆସି ପେଟ୍ରୋଲ୍ ନେଇ ନିଜ ବାଇକ୍ରେ ପକାଉଥିଲେ। ତେବେ ଅସାବଧାନତା ଯୋଗୁ ସେହି ପେଟ୍ରୋଲ୍ରେ ନିଆଁ ଲାଗି ଯାଇଥିଲା। ଯାହାଫଳରେ ରତ୍ନାକରଙ୍କ ବନ୍ଧୁଙ୍କ ୫ ବର୍ଷର ଶିଶୁ ପୁତ୍ର ପୋଡ଼ି ଯାଇଥିଲେ। ପଡୋଶୀ ତପନ ମଳିକ ଓ ଉପେନ୍ଦ୍ର ମଳିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
ନିଆଁରେ ୨ ବଖରା ଘର ଓ ବାହାଘର ପାଇଁ ସଜା ହୋଇଥିବା ଟେଣ୍ଟ ଜଳିଯାଇଛି। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପେଟ୍ରୋଲ୍ରେ ସିଗାରେଟ୍ ନିଆଁ ଲାଗିବାରୁ ଏପରି ଭୟଙ୍କର ଘଟଣା ଘଟିଥିବା ଅନୁମାନ କରାଯାଉଛି।
ରିପୋର୍ଟ- ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Fire_1701956556.jpg)