ଏକ୍ସପ୍ରେସ ଟ୍ରେନ୍‌ରୁ ଖସି ପଡ଼ିଲେ; ରାତି ସାରା ଟ୍ରାକ୍‌ ପାର୍ଶ୍ୱରେ ପଡ଼ିଥିଲେ

ମାନସ ହୋତାଙ୍କ ନିଦ ଭାଙ୍ଗିଥିଲା। ହେଲେ ସେତେବେଳେ ବର୍ଥରେ ପୁଅକୁ ଦେଖିବାକୁ ପାଇଲେ ନାହିଁ। ତେଣୁ ଟ୍ରେନ୍‌ର ଏ ବଗିରୁ ସେ ବଗି ଖୋଜି ବୁଲିଲେ। ହେଲେ ପୁଅକୁ ପାଇଲେ ନାହିଁ। ତେଣୁ ସେ ଆର୍‌ପିଏଫ୍‌ ହେଲ୍‌ପଲାଇନ୍‌ ନମ୍ୱର ୧୩୯ରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ

ଟ୍ରାକ୍‌ରୁ ପିଲାକୁ ଉଦ୍ଧାର କରାଯାଉଛି

  • Published: Wednesday, 04 September 2024
  • , Updated: 04 September 2024, 05:18 PM IST

କେତେ ଖୁସିରେ ବାପାଙ୍କ ସହିତ ରାୟପୁରରୁ ରାଜଧାନୀ ଭୁବନେଶ୍ୱର ଆସୁଥିଲେ। ହେଲେ ଦୁର୍ଭାଗ୍ୟକୁ ଅନ୍ଧାର ରାତିରେ ଦୁର୍ଗ-ପୁରୀ ଏକ୍ସପ୍ରେସ ଟ୍ରେନ୍‌ରୁ ଖସି ପଡ଼ିଥିଲେ ୫ ବର୍ଷୀୟ ପ୍ରୀତିଶପ୍ରଜ୍ଞା ହୋତା। ସାରା ରାତି ଟ୍ରାକ୍‌ ପାର୍ଶ୍ୱ ଘଞ୍ଚ ଜଙ୍ଗଲରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଲେ। ଜୀବନ ସହିତ ସଂଘର୍ଷ କରୁଥିଲେ। ସୌଭାଗ୍ୟକୁ ସେହି ଟ୍ରାକ୍‌ରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ର ଲୋକ ପାଇଲଟ୍‌ଙ୍କଠାରୁ ଖବର ପାଇ ଆର୍‌ପିଏଫ୍‌ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛି। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଷ୍ଟେସନ୍‌ଠାରୁ ଅଳ୍ପ ଦୂରରେ ଘଟିଛି।

ବ୍ରହ୍ମପୁର ମାନସ ହୋତା, ତାଙ୍କ ୫ ବର୍ଷର ପୁତ୍ର ପ୍ରୀତିଶପ୍ରଜ୍ଞା ହୋତା ଓ ପୀଉସା ଦୁର୍ଗ-ପୁରୀ ଏକ୍ସପ୍ରେସ ଟ୍ରେନ୍‌ରେ ଛତିଶଗଡ଼ରୁ ଭୁବନେଶ୍ୱର ଆସୁଥିଲେ। ରାତିରେ ଟ୍ରେନ୍‌ ଛାଡ଼ିଥିବାରୁ ସମସ୍ତେ ସଂରକ୍ଷଣ ବଗିରେ ଆସିଥିଲେ। ରାତି ପ୍ରାୟ ୨ଟା ହେବ। ପ୍ରାୟତଃ ବଗିରେ ସମସ୍ତେ ଶୋଇପଡ଼ିଥିଲେ। ବଗି ଭିତରେ ଝାପସା ଝାପସା ଲାଇଟ୍‌ ଜଳୁଥିଲା। ଅନ୍ଧକାର ରାତିରେ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଥିଲା ଦୁର୍ଗ-ପୁରୀ ଏକ୍ସପ୍ରେସ୍‌।

ଟ୍ରେନ୍‌ର ହର୍ଣ୍ଣ ଓ କର୍କଶ ଶବ୍ଦ ଭିତରେ ପ୍ରୀତିଶପ୍ରଜ୍ଞାଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ଆଖି ମଳିମଳି ନିଜ ବେଡ୍‌ରୁ ଉଠିଥିଲେ। ଟ୍ରେନ ଗେଟ୍‌ ପାଖକୁ ଚାଲି ଆସିଥିଲେ। ହେଲେ ସେତେବେଳେ ଟ୍ରେନ୍‌ର ଡୋର ଦିଆଯାଇନଥିଲା। ଅସାବଧାନତା ଯୋଗୁ ପ୍ରୀତିଶପ୍ରଜ୍ଞାଙ୍କ ଗୋଡ଼ ଖସି ଯାଇଥିଲା। ଆଉ ସେ ଟ୍ରେନ୍‌ରୁ ଖସି ପଡ଼ିଥିଲେ। ସେ ରେଢ଼ାଖୋଲ ଷ୍ଟେସନରୁ ୪ କି.ମି ଦୂରତାରେ ଅଙ୍ଗାରପଢା ଗାଁ ପାଖ ଜଙ୍ଗଲ ନିକଟରେ ପଡ଼ି ଯାଇଥିଲେ। ସୌଭାଗ୍ୟକୁ ସେ ଟ୍ରାକ୍‌ ପାର୍ଶ୍ୱରେ ପଡ଼ିଥିଲେ। ଜୀବନ ସିନା ବଞ୍ଚି ଯାଇଥିଲା, ହେଲେ ମୁହଁ ରକ୍ତାକ୍ତ ହୋଇଥିଲା। ରାତି ସାରା ସେହି ଟ୍ରାକ୍‌ ପାର୍ଶ୍ୱରେ ସେମିତି ଜୀବନ ସହିତ ସଂଘର୍ଷ କରୁଥିଲେ ପ୍ରୀତିଶପ୍ରଜ୍ଞା। 

ତେବେ ଭୋରୁ ଭୋରୁ ସେହି ଟ୍ରାକ୍‌ରେ ଆସୁଥିବା ଏକ ମାଲଗାଡ଼ିର ଲୋକୋ ପାଇଲଟ ପ୍ରୀତିଶପ୍ରଜ୍ଞାକୁ ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ରାଢ଼ାଖୋଲ ଷ୍ଟେସନ୍‌କୁ ଖବର ଦେଇଥିଲେ। ଆରପିଏଫ୍‌ ଟ୍ରାକ୍‌ ପାର୍ଶ୍ୱରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ରାତିରେ ପ୍ରୀତିଶପ୍ରଜ୍ଞାଙ୍କ ବାପା ମାନସ ହୋତାଙ୍କ ନିଦ ଭାଙ୍ଗିଥିଲା। ହେଲେ ସେତେବେଳେ ବର୍ଥରେ ପୁଅକୁ ଦେଖିବାକୁ ପାଇନଥିଲେ। ତେଣୁ ଟ୍ରେନ୍‌ର ଏ ବଗିରୁ ସେ ବଗି ଖୋଜି ବୁଲିଥିଲେ। ପୁଅକୁ ପାଇନଥିଲେ। ତେଣୁ ସେ ଆର୍‌ପିଏଫ୍‌ ହେଲ୍‌ପଲାଇନ୍‌ ନମ୍ୱର ୧୩୯ରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ଭୁବନେଶ୍ୱର ଯିବା ପରିବର୍ତ୍ତେ ସକାଳେ ଢେଙ୍କାନାଳ ଷ୍ଟେସନ୍‌ରେ ଓହ୍ଲାଇଥିଲେ।

ଷ୍ଟେସନ୍‌ରେ ଓହ୍ଲାଇବା ପରେ ପୁଅ ରେଢାଖୋଲ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଖବର ପାଇଥିଲେ ମାନସ। ଏହା ପରେ ମାନସ ଓ ତାଙ୍କ ସମ୍ପର୍କୀୟମାନେ ରେଢାଖୋଲ ଅଭିମୁଖେ ଯାଇଥିଲେ। ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ପ୍ରୀତିଶପ୍ରଜ୍ଞାଙ୍କୁ ଧରି ଫେରୁଥିବା ଜଣାପଡ଼ିଛି।

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

Related story