Advertisment

Accident: ଦୁଇ ଘରୋଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା: ଗାଡ଼ି ଛିନଛତ୍ର, ୬ ମୃତ

ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ ଦୁଇଟି ଯାକ ବସ୍‌ର ସାମ୍ନା ପଟ ପୂରା ଛିନଛତ୍ର ହୋଇଯାଇଛି। ଘଟଣା ସ୍ଥଳରେ ୬ ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ୩୨ ଜଣ ଲୋକ ଆହତ ହୋଇଛନ୍ତି।

author-image
Hemant Lenka
Accident

ଦୁର୍ଘଟଣା ସ୍ଥଳର ଦୃଶ୍ୟ

ଦୁଇ ଯାତ୍ରୀବାହୀ ଘରୋଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣା( Accident) ଏତେ ଭୟଙ୍କର ରହିଥିଲା ଯେ ଦୁଇଟି ଯାକ ବସ୍‌ର ସାମ୍ନା ପଟ ପୂରା ଛିନଛତ୍ର ହୋଇଯାଇଛି। ଘଟଣା ସ୍ଥଳରେ ୬ ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ୩୨ ଜଣ ଲୋକ ଆହତ ହୋଇଛନ୍ତି।

Advertisment

ତାମିଲନାଡୁ(Tamilnadu)ର ତେନକାସି ଜିଲ୍ଲା ଇଡାଇକ୍କଲ ଠାରେ ଘଟିଥିବା ଏହି ଦୁର୍ଘଟଣା ପୂରା ଅଞ୍ଚଳରେ ଶୋକରଚ୍ଛାୟା ଖେଳାଇ ଦେଇଛି। ଆହତମାନଙ୍କୁ ତେନକାସି ହସ୍ପିଟାଲ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। 

ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓ ହିଁ ଦୁର୍ଘଟଣାର ଭୟାବହତାକୁ ଦର୍ଶାଉଛି। ଦୁଇଟି ଯାକ ବସ ରାସ୍ତା ଉପରେ ରହିଥିବା ବେଳେ କାଚ ଓ ଜିନିଷପତ୍ର ରାସ୍ତାରେ ଇତସ୍ତତ ହୋଇ ପଡ଼ି ରହିଛି। ବସ୍‌ ଦୁଇଟିର ସାମ୍ନା ପଟ ପୂରା ଧ୍ୱଂସ ହୋଇଯାଇଛି। ସ୍ଥିତି ଏପରି ହୋଇଥିଲା ଯେ ଜେସିବି ଦ୍ୱାରା ଦୁଇଟି ଯାକ ବସ୍‌ର ଧ୍ୱଂସାବଶେଷକୁ ରାସ୍ତାରୁ ହଟାଯାଇଛି। 

Advertisment

ପୁଲିସ କହିଛି ଯେ ଗୋଟିଏ ବସ୍‌ ମଦୁରାଇରୁ ତେନକାସି ଆସୁଥିବା ବେଳେ ଆଉ ଗୋଟିଏ କାଡିୟାନାଲ୍ଲୁର ଆଡ଼କୁ ଯାଉଥିଲା। ଏହି ସମୟରେ ଇଡାଇକ୍କଲ ଠାରେ ପରସ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ମୁହାଁମୁହିଁ ଧକ୍କା ହେବା ବେଳେ ଦୁଇଟି ଯାକ ଗାଡ଼ିର ବେଗ ଅଧିକ ରହିଥିଲା। ତେଣୁ ବସର ସାମ୍ନା ପଟ ପୂରା ଛନଛତ୍ର ହୋଇଯାଇଛି।

ଦୁର୍ଘଟଣା ସ୍ଥଳରେ ୫ ଜଣ ମହିଳା ଓ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତା’ର ତଦନ୍ତ ଚାଲିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। 

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘଟଣାରେ ଶୋକ ପ୍ରକାଶ କରିବା ସହ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ କେକେଏସଏସଆର ରାମଚନ୍ଦ୍ରନଙ୍କ ସହ କଥା ହୋଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାମଚନ୍ଦ୍ରନ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏହାବାଦ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଜିଲ୍ଲାପାଳଙ୍କ ସହ କଥା ହୋଇ ଆହତମାନଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କହିଛନ୍ତି। 

Accident Tamilnadu