କାର ଉପରେ ଓଲଟି ପଡ଼ିଛି ବସ୍ Photograph: (OR)
କାର ଉପରେ ଓଲଟି ପଡ଼ିଲା ବସ୍। କାରଟି ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିରେ ଥିବା ଯାତ୍ରୀ ଦ୍ୱୟ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଯିଏ ଗାଡ଼ି ଚଲାଉଥିଲେ ସେ ସାମାନ୍ୟ ଆହତ ହୋଇଛନ୍ତି। ସେହିଭଳି ବସ୍ର କିଛି ଯାତ୍ରୀ ଆହତ ହୋଇଛନ୍ତି।
ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ। ଆଜି ରାଇରଙ୍ଗପୁର ଅଞ୍ଚଳରୁ ଶ୍ରୀଗଣେଶ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ୪୯ ନମ୍ବର ଜାତୀୟ ରାଜପଥରେ ବାଙ୍ଗିରିପୋଷି ଘାଟି ଦେଇ ବାରିପଦା ଆସୁଥିବା ବେଳେ ପାହାଡ଼ରେ ପିଟି ହୋଇ ଏକ କାର ଉପରେ ଓଲଟି ପଡ଼ିଥିଲା। କାର୍ଟି ମଧ୍ୟ ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଆସୁଥିଲା।
ବସ୍ଟି ଓଲଟି ପଡ଼ିବାରୁ କାରଟି ପୂରା ଚେପା ହୋଇଯାଇଛି। ଆଶ୍ଚର୍ଯ୍ୟଜନକ ଭାବେ କାରରେ ଥିବା ଦୁଇ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍ର ୧୦/୧୨ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ପୁଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
/filters:format(webp)/odisha-reporter/media/media_files/2025/10/18/accident-2025-10-18-16-46-14.jpg)
କାରରେ ଥିବା ଯାତ୍ରୀ ଦ୍ୱୟ ଏକ ମେଡିସିନ କମ୍ପାନୀର କର୍ମଚାରୀ। ସେମାନେ ଟୁରରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଆଦୌ ଆହତ ହୋଇନଥିବା ବାଲେଶ୍ୱରର ମୁକେଶ ବିଶ୍ୱାଳ କହିଛନ୍ତି, ଆମେ ଟୁରରେ ଆସିଥିଲୁ। ହଠାତ୍ ବସ୍ଟି ଆସି ପଡ଼ିଗଲା। ପ୍ରଥମେ ଆମେ ଭାବିଲୁ ଯେ ପାହାଡ଼ରୁ ପଥର ଖସି କାର ଉପରେ ପଡ଼ିଗଲା। ଆମେ ଦୁଇ ଜଣ ଥିଲୁ। ତାଙ୍କର (ଯିଏ ଗାଡ଼ି ଚଲାଉଥିଲେ) ବିଶେଷ କିଛି କ୍ଷତି ହୋଇନି।
ଚିଫ୍ ଫାୟର ଅଫିସର ରମେଶ ମାଝୀ କହିଛନ୍ତି, ଓଭରଟେକ୍ ପାଇଁ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେହି ଘାଟି ରାସ୍ତାର ମରାମତି ଚାଲିଛି। ତେଣୁ ବସ୍ଟି ଓଭରଟେକ୍ କରିବାର ନ ଥିଲା। ବସ୍ରେ ୬୦ରୁ ୬୫ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ ବେଶୀ କ୍ଷତି ହୋଇନି।
ସେହିଭଳି କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ପୋଖରୀବନ୍ଧ ଘାଟିରେ ଏକ ଘରୋଇ ଯାତ୍ରୀବାହୀ ବସ୍କୁ ସାମ୍ନାରୁ ଏକ ଟ୍ରକ୍ ଦେଇଥିଲା। ତା’ପରେ ପରେ ପଛରୁ ଆସୁଥିବା ଏକ ଟ୍ରକ୍ ମଧ୍ୟ ବସ୍ଟିକୁ ଧକ୍କା ଦେଇଥିଲା। ତେବେ ବସ୍ରେ ଥିବା ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କେବଳ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/18/bus-accident-2025-10-18-16-45-25.jpg)