Advertisment

ବିଷ ପିଇ ଜୀବନ ହାରିଲେ ଚାଷୀ, ପୁଲିସ୍ ବିରୋଧରେ ଆସିଲା ଅଭିଯୋଗ

ସୁରେନ୍ଦ୍ରଙ୍କୁ ପ୍ରଥମେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Dead Farmer

Dead Farmer

ପୁଲିସର ଅନ୍ୟାୟ ଓ ନିର୍ଯାତନା ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଜଣେ ଚାଷୀ। ଏହି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ପଞ୍ଚାୟତ ଲଛିପୁର ଥାନା ଚୌକାମାଲ ଗାଁରୁ।

Advertisment

ମୃତ ଚାଷୀଙ୍କ ନାଁ ସୁରେନ୍ଦ୍ର ବିଶ୍ୱାଳ। ଜମିବାଡ଼ିକୁ ନେଇ ତାଙ୍କ ଭାଇମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ସେମାନେ ଗତ ରବିବାର ଦିନ ଲଛିପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ସେଠାରେ ସମସ୍ୟାର ସମାଧାନ କରିଥିଲା। ହେଲେ ପୁଲିସର ନିଷ୍ପତ୍ତି ଏକତରଫା ଥିଲା ବୋଲି ଅଭିଯୋଗ ହୋଇଛି।

ମୃତ ସୁରେନ୍ଦ୍ରଙ୍କ ଶାଳକ କର୍ମ ପ୍ରଧାନ ଅଭିଯୋଗ କରିଛନ୍ତି, ପୁଲିସ୍ ଜୋରଜବରଦସ୍ତ ତାଙ୍କ (ସୁରେନ୍ଦ୍ରଙ୍କ) ଠାରୁ ଦସ୍ତଖତ ନେବା ସହିତ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲା। ନିଜ ଅନିଚ୍ଛା ସତ୍ତ୍ୱେ ଥାନାରେ ହୋଇଥିବା ଲେଖାପଢ଼ାରେ ଦସ୍ତଖତ କରିଥିଲେ ମୋ ଭିଣୋଇ। ପୁଲିସ ଏକତରଫା ଭାବେ ଏକ ଏଗ୍ରୀମେଣ୍ଟ କରିଥିଲା। ସେମିତି ହେବା କଥା ନୁହେଁ। ତାଙ୍କୁ ତାଙ୍କ ଜମିରୁ ବାସନ୍ଦ କରି ଦିଆଯାଇଥିଲା। ତାଙ୍କୁ ଭୂମିହୀନ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଥାନାରେ ଦସ୍ତଖତ କରି ଆସିବା ପରେ ଘରେ ସେ (ସୁରେନ୍ଦ୍ର) ବିଷ ପିଇ ଦେଇଥିଲେ। ପୁଲିସ ପାଇଁ ତାଙ୍କ ଜୀବନ ଯାଇଛି।

Advertisment

ବିଷ ପିଇବା ପରେ ସୁରେନ୍ଦ୍ରଙ୍କୁ ପ୍ରଥମେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଲଛିପୁର ଥାନା ଅଧିକାରୀ ଭୋଜରାଜ ସା କହିଛନ୍ତି ଯେ ପୁଲିସ ସୁରେନ୍ଦ୍ରଙ୍କଠାରୁ କୌଣସି ଦସ୍ତଖତ ନେଇ ନାହିଁ। ଥାନାରେ ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରାଯାଇଥିଲା।

Farmer Suicide