Advertisment

ଜିଏସ୍‌ଟି ଚଢ଼ାଉ ପରେ ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ!

ଗତକାଲି ରାତିରେ ଦୀପାବଳି ପାଳି ସେ ଶୋଇବାକୁ ଯାଇଥିଲେ। ଆଜି ସକାଳ ୮ଟା ଯାଏଁ ସେ ଉଠି ନଥିଲେ।

ଅଦ୍ୟତନ ହୋଇଛି
P Hariprasad

P Hariprasad

Advertisment

ସିଟି ଓ ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ମୃତ ସୁନା ବ୍ୟବସାୟୀଙ୍କ ନାଁ ପି. ହରପ୍ରସାଦ। ସେ ଥିଲେ ଜୟପୁର ସ୍ଥିତ ନ୍ୟୁ ବାସେବୀ ଜ୍ୱେଲର୍ସର ମାଲିକ।

Advertisment

ଗତକାଲି ରାତିରେ ଦୀପାବଳି ପାଳି ସେ ଶୋଇବାକୁ ଯାଇଥିଲେ। ଆଜି ସକାଳ ୮ଟା ଯାଏଁ ସେ ଉଠି ନଥିଲେ। ସେ ଉଠିବାରେ ବିଳମ୍ବ ହେବାରୁ ତାଙ୍କ ମା’ ଓ ସ୍ତ୍ରୀ ବାରମ୍ବାର ଡାକ ପକାଇ ତାଙ୍କୁ ଉଠାଇଥିଲେ। କିନ୍ତୁ ସେ ଉଠି ନଥିଲେ। ତେଣୁ ତାଙ୍କ ମା’ ଓ ସ୍ତ୍ରୀ ପଡ଼ୋଶୀଙ୍କୁ ଜଣାଇଥିଲେ। ପଡ଼ୋଶୀଙ୍କ ସହାୟତାରେ ତୁରନ୍ତ ପି. ହରପ୍ରସାଦଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି। 

ଗତ ମଙ୍ଗଳବାର ଧନତେରାସ ଥିବା ବେଳେ ସେହି ଦିନ ରାଜ୍ୟ ବିଭିନ୍ନ ସୁନା ଦୋକାନରେ ସିଟି ଓ ଜିଏସ୍‌ଟି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୟପୁରରେ ପି. ହରପ୍ରସାଦଙ୍କ ଦୋକାନ ନ୍ୟୁ ବାସେବୀ ଜ୍ୱେଲର୍ସରେ ମଧ୍ୟ ଚଢ଼ାଉ କରାଯାଇଥିଲା। ସେହି ଦିନଠାରୁ ପି. ହରପ୍ରସାଦ ଚାପଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି।

Advertisment

ପି. ହରପ୍ରସାଦଙ୍କ ଭାଇ ପି. ରାଜେଶ କହିଛନ୍ତି ଯେ, ଗୋଟିଏ ପର୍ବ ବେଳେ ସିଟି ଓ ଜିଏସ୍‌ଟିର ଏଭଳି ଚଢ଼ାଉ ତାଙ୍କୁ (ପି. ହରପ୍ରସାଦଙ୍କୁ) ଖୁବ୍ ଆଘାତ ଦେଇଥିଲା। ଏକ ଘଣ୍ଟା କହି ୬ରୁ ୭ ଘଣ୍ଟା ଧରି ଦୋକାନ ଓ ଘରେ ସର୍ଚ୍ଚ କରିଥିଲା ସିଟି ଓ ଜିଏସ୍‌ଟି ଟିମ୍। ଆଉ ତା’ର ପ୍ରଭାବ ଭାଇଙ୍କ ଉପରେ ପଡ଼ିଥିଲା। ପୂର୍ବରୁ ମଧ୍ୟ ଭାଇଙ୍କ ଦୋକାନରେ ଏମିତି ବାରମ୍ବାର ଚଢ଼ାଉ କରାଯାଇଛି। ଯଦି କିଛି ତ୍ରୁଟି ଥିଲା, କାର୍ଯ୍ୟାନୁଷ୍ଠାନ ନେଇଥା’ନ୍ତେ। କିନ୍ତୁ ତାହା ନ କରି ଏମିତି ବାରମ୍ବାର ଚଢ଼ାଉ କରାଯିବ ଯୋଗୁ ଲୋକେ କ’ଣ କହୁଥିବେ ଭାବି ଭାବି ଚିନ୍ତାଗ୍ରସ୍ତ ହୋଇଯାଇଥିଲେ ଭାଇ। ଆଉ ଆଜି ତାଙ୍କର ମୃତ୍ୟୁ ହୋଇଗଲା।

ପି. ହରପ୍ରସାଦଙ୍କ ମୃତ୍ୟୁ ପରେ ଜୟପୁର ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ ସିଟି ଓ ଜିଏସ୍‌ଟିର ଚଢ଼ାଉକୁ ସମାଲୋଚନା କରାଯାଇଛି। ଏହି ଘଟଣା ନେଇ ସଂଗଠନର ପଦକ୍ଷେପ ସଂପର୍କରେ ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜୟପୁର ଚାମ୍ବର୍ ଅଫ୍ କମର୍ସର ସଭାପତି ପି. ପ୍ରଭାକର ରାଓ କହିଛନ୍ତି। 

ଜୟପୁର ସ୍ଥିତ ସିଟି ଓ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୟୁନିଟର ଅଫିସର ଅକ୍ଷୟ ମିଶ୍ର ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ତେବେ ବିଭାଗର ନିର୍ଦ୍ଦେଶରେ ହିଁ ଏହି ଚଢ଼ାଉ କରାଯାଇଥିଲା ବୋଲି ସେ କହିଛନ୍ତି। 

ରିପୋର୍ଟ- ଜୟପୁରରୁ ଟି. ଗୌରୀଶଙ୍କର 

CT & GST
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe