/odisha-reporter/media/post_attachments/uploadimage/library/16_9/16_9_0/Accident_1696312338.jpg)
Accident
ଟଳିଗଲା ଏକ ବଡ଼ ବିପଦ। ଅଳ୍ପକେ ବର୍ତ୍ତିଗଲା ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ। ଦୁର୍ଘଟଣାଟି ଭୟଙ୍କର ହୋଇଥିଲେ ବି ଏହା ଆହୁରି ଭୟଙ୍କର ହୋଇଥାନ୍ତା, ଯଦି ବସ୍ଟି ମହାନଦୀ ଗର୍ଭରେ ପଡ଼ିଯାଇଥା’ନ୍ତା। କାରଣ ଏବେ ମହାନଦୀ ଏଠାରେ ପୂର୍ଣ୍ଣଗର୍ଭା। ଆଜି ସକାଳ ପ୍ରାୟ ୧୦ଟା ବେଳେ କଟକ ଜିଲ୍ଲା ବାଙ୍କୀ ନିକଟସ୍ଥ ଯାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜ୍ ଉପରେ ଘଟିଛି ଏହି ଘଟଣା।
ବସ୍ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୭ଟା ୪୫ରେ ବସ୍ଟି ଅନୁଗୋଳରୁ ଯାତ୍ରା ଆରମ୍ଭ କରିଥିଲା। ୧୨ଟା ବେଳେ ଏହା ଭୁବନେଶ୍ୱରରେ ପହଞ୍ଚିଥା’ନ୍ତା। ତେବେ ତା’ପୂର୍ବରୁ ଏହା ଦୁର୍ଘଟଣାର ସମ୍ମୁଖୀନ ହେଲା। ବସ୍ ଡ୍ରାଇଭର ଶ୍ରୀକାନ୍ତ ବେହେରାଙ୍କ କହିବା ଅନୁଯାୟୀ, ଷ୍ଟିୟରିଂ କାମ ନକରିବାରୁ ଏହି ଦୁର୍ଘଟଣା ଘଟିଲା।
ସେ କହିଛନ୍ତି, ଯାତମୁଣ୍ଡିଆ ବ୍ରିଜ୍ ଉପରେ ବସ୍ ଥିବା ବେଳେ ଷ୍ଟିୟରିଂ ରଡ୍ ଛିଡ଼ି ଯାଇଥିଲା। ଫଳରେ ଷ୍ଟିୟରିଂ ଫେଲ୍ ହୋଇଗଲା ଓ ବସ୍ ଗୋଟିଏ ସାଇଡ୍କୁ ଟାଣି ନେଲା। ବସ୍ରେ ବ୍ରେକ୍ ଲଗାଇ ଅଟକାଇବାକୁ ବହୁ ଚେଷ୍ଟା କରିଥିଲି। ତଥାପି ବସ୍ ବାଡ଼ା ଭାଙ୍ଗି ନଦୀକୁ ଝୁଲି ପଡ଼ିଥିଲା। ଭଗବାନ ଆମକୁ ରକ୍ଷା କରି ଦେଇଛନ୍ତି ବୋଲି ସେ କହିଛନ୍ତି।
ସୁଶୀଲ ଦଳାଇ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ‘ଆମେ ଦୁଇ ଜଣ ବାଇକ୍ରେ ଯାଉଥିଲୁ। ଆମ ଆଗରେ ବସ୍ଟି ଥିଲା। ହଠାତ୍ ବସ୍ଟି ବାମ ପାର୍ଶ୍ୱକୁ କଟିଲା। ତା’ପରେ ଡାହାଣ ଆଡ଼କୁ ଯାଇ ବ୍ରିଜ୍ର ସୁରକ୍ଷା ବାଡ଼କୁ ଧକ୍କା ଦେଇ ଆଗକୁ ମାଡ଼ି ଗଲା। ବସ୍ର ଦ୍ୱାର ଓ ଆଗ ଚକ ବ୍ରିଜ୍ ତଳକୁ ଝୁଲି ରହିଥିବା ବେଳେ ବାକି ଅଂଶ ବ୍ରିଜ୍ ପରେ ରହିଥିଲା। ବସ୍ଯାତ୍ରୀ ପୂରା ଭୟଭୀତ ହୋଇଯାଇଥିଲେ।
ଏହା ପରେ ବ୍ରିଜ୍ ଉପରେ ଯା’ଆସ କରୁଥିବା ସମସ୍ତ ଲୋକ ସେଠାରେ ସାହାଯ୍ୟ କରିବା ପାଇଁ ପହଞ୍ଚିଥିଲେ। ଆମେ ଫୋନ୍ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଡାକିଥିଲୁ। କାଳେ ବସ୍ଟି ନଦୀରେ ପଡ଼ିଯିବ, ସେହି ଆଶଙ୍କାରେ ୨୦ରୁ ୩୦ ଜଣ ଲୋକ ବସ୍କୁ ପଛପଟୁ ଟାଣି ଧରିଥିଲେ। ବସ୍ର ଦ୍ୱାର ନଦୀ ପାର୍ଶ୍ୱକୁ ରହିଥିଲା। ତେଣୁ ସମସ୍ତ ଯାତ୍ରୀଙ୍କୁ ଝରକା ଦେଇ ବାହାର କରାଯାଇଥିଲା। ପ୍ରାୟ ୩୦ରୁ ୩୫ ମିନିଟ୍ ମଧ୍ୟରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିଲେ।’
ବସ୍ଟିକୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ, ଅଗ୍ନିଶମ ଓ ପୁଲିସ୍ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏକ ହାଇୱା ଓ କ୍ରେନ୍ ସାହାଯ୍ୟରେ ବସ୍ଟିକୁ ଉଦ୍ଧାର କରାଯାଇଥିଲା। ତେବେ ପ୍ରକୃତରେ କେମିତି ଏହି ଦୁର୍ଘଟଣା ଘଟିଲା, ତାହା ତଦନ୍ତ ପରେ ଜଣାପଡ଼ିବ। ବସ୍ର ବେଗ କେତେ ଥିଲା, ଫିଟ୍ନେସ୍ ଥିଲା ନା ନାହିଁ, ବସ୍ର ସବୁ ଯନ୍ତ୍ରପାତି ଠିକ୍ ଭାବେ କାର୍ଯ୍ୟ କରୁଥିବା ନେଇ ଯାଞ୍ଚ କରାଯାଉଥିଲା ନା ନାହିଁ, ବସ୍ରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିଲେ ନା ନାହିଁ- ଏସବୁ ତଦନ୍ତ ପରେ ହିଁ ଜଣାପଡ଼ିବ।
ଅନ୍ୟପକ୍ଷରେ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି। ଯଦି ଏ ଦିଗରେ ପୂର୍ବରୁ ପଦକ୍ଷେପ ନିଆଯାଇଥା’ନ୍ତା ତା’ହେଲେ ଆଜି ଏଭଳି ଏକ ଦୁର୍ଘଟଣା ହୁଏତ ଘଟି ନଥା’ନ୍ତା ବୋଲି କୁହାଯାଉଛି।
#ମହାନଦୀ_ବ୍ରିଜ୍ରେ_ଝୁଲି_ରହିଛି_ବସ୍
ବାଙ୍କୀ: ମହାନଦୀ ବ୍ରିଜରେ ଲଟକିଛି ଯାତ୍ରୀବାହୀ ବସ୍ । ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ଲଟକି ରହିଛି ବସ୍ । ବସ୍ଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ଦୁର୍ଘଟଣା । ବସ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । #Odishapic.twitter.com/qV5VPWKJ85— Odisha Reporter (@OdishaReporter) October 3, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
