Advertisment

ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ: ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗୋଡ଼ ଖସିଯିବାରୁ ୩ ଜଣ ଛାତ୍ର ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।

author-image
Jitendra Garnayak
Ambulance

Ambulance

ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ। 

Advertisment

ମୃତ ଛାତ୍ରଙ୍କ ନାଁ ରିତେଶ ସ୍ୱାଇଁ। ତାଙ୍କ ଘର ମଙ୍ଗରାଜପୁରରେ। ସେ ଆଦିକବି ଶାରଳା ଦାସ କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଛାତ୍ରଙ୍କ ନାଁ ଏସ୍‌. ରବି କିରଣ। ତାଙ୍କ ଘର ଭରାଳ ଗାଁରେ। 

ଏହି ଦୁଇ ଜଣ ତିର୍ତ୍ତୋଲ ସ୍ଥିତ ଏକ ଘରୋଇ କମ୍ପ୍ୟୁଟର ତାଲିମ କେନ୍ଦ୍ରର ପ୍ରଶିକ୍ଷଣ ନିଅନ୍ତି। ଏହି କମ୍ପ୍ୟୁଟର ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନେ ମିଶି ଗଣେଶ ପୂଜା କରିଥିଲେ। ଆଜି ସକାଳେ କିଛି ଛାତ୍ର ମିଶି ନିକଟସ୍ଥ ବୃଦ୍ଧା ନଦୀକୁ ଗଣେଶଙ୍କ ମୂର୍ତ୍ତିକୁ ବିସର୍ଜନ କରିବାକୁ ନେଇଥିଲେ। ମୂର୍ତ୍ତିକୁ ଧରି ଏହି ଛାତ୍ରମାନେ ନଦୀକୁ ପଶିଥିବା ବେଳେ ଗୋଡ଼ ଖସି ଯିବାରୁ ରିତେଶ, ଏସ୍‌. ରବି କିରଣ ଓ ଅନ୍ୟ ଜଣେ ଛାତ୍ର ବୁଡ଼ି ଯାଇଥିଲେ। ତେବେ ଅନ୍ୟ ଛାତ୍ରଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ତିନି ଜଣଙ୍କୁ ଉଦ୍ଧାର କରିଥିଲେ। 

Advertisment

ଉଦ୍ଧାର କରାଯିବା ବେଳକୁ ରିତେଶ ଓ ଏସ୍‌. ରବି କିରଣଙ୍କ ଅବସ୍ଥା ଗୁରୁତର ହୋଇସାରିଥିଲା। ସେମାନଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ରିତେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏସ୍‌. ରବି କିରଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।     

ତିର୍ତ୍ତୋଲ ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣାକୁ ନେଇ ପୂରା ତିର୍ତ୍ତୋଲ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। 

Drowning Death Drowning Case