/odisha-reporter/media/media_files/2026/02/20/truck-2026-02-20-17-15-52.jpg)
ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଦକ୍ଷିଣକାଳି ମନ୍ଦିର ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
ମୃତ ମହିଳାଙ୍କ ନାଁ ବିଳାସ ଦେଇ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଜରିପଡ଼ା ଅଞ୍ଚଳରେ। ତାଙ୍କ ସ୍ୱାମୀଙ୍କ ନାଁ କେଦାର ପ୍ରଧାନ।
ସ୍ୱାମୀ କେଦାରଙ୍କ ସହିତ ବିଳାସ ଦେଇ ଫତେଗଡ଼ରୁ ନିଜ ଘର ଅଭିମୁଖେ ସ୍କୁଟି ଯୋଗେ ଫେରୁଥିଲେ। ସେହି ସମୟରେ ରାଜସୁନାଖଳା ଦକ୍ଷିଣକାଳି ମନ୍ଦିର ନିକଟରେ ଏକ ହଇୱା ହଠାତ୍ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା।
ଏହା ଦେଖି ସ୍କୁଟି ଚାଳକ ସତର୍କ ହୋଇ ଅଟକି ଯାଇଥିଲେ। ତେବେ ବିଳାସ ଦେଇଙ୍କ ଲୁଗା ହାଇୱାରେ ଲାଗି ଯାଇଥିଲା। ଫଳରେ ହାଇୱାଟି ତାଙ୍କୁ ଟାଣି ନେଇଥିଲା। ସେ ତଳେ ପଡ଼ିଯିବା ପରେ ହାଇୱାର ପଛ ଚକା ତାଙ୍କୁ କିଛି ବାଟ ଘୋଷାରି ନେଇଥିଲା। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ହାଇୱା ବିଳାସ ଦେଇଙ୍କୁ ଟାଣି ନେଲା ପରେ କେଦାର ପ୍ରଧାନ ମଧ୍ୟ ସ୍କୁଟି ସହିତ ତଳେ ପଡ଼ି ଯାଇଥିଲେ। ତେବେ ତାଙ୍କର କିଛି ହୋଇନାହିଁ। ସ୍ଥାନୀୟ ଲୋକେ ଧାଇଁ ଆସିବାରୁ ଭୟରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ।
ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଗାଡ଼ିଟିକୁ ଅଟକ ରଖିବା ସହ ଶବ ରଖି ରାସ୍ତା ବନ୍ଦ କରିଥିଲେ। ସ୍ଥାନୀୟ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।
କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହାଇୱା ଡ୍ରାଇଭର ମଦ ପିଇଥିଲେ। ଗାଡ଼ି ଚଲାଇଲା ବେଳେ ସେ ମୋବାଇଲ ଫୋନ୍ରେ କଥା ହେଉଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
