ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବନାଞ୍ଚଳରେ ଲାଗି ରହିଛି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଶନିବାର ମଧ୍ୟରାତ୍ରରେ କନ୍ତରକୋଇଡ଼ା ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଆରତି ମୁଣ୍ଡା।
ଗତକାଲି ମଧ୍ୟରାତ୍ରରେ ଏକ ପାଞ୍ଚ ଟିକିଆ ହାତୀପଲ କନ୍ତରକୋଇଡ଼ା ଗାଁକୁ ଆସିଥିଲେ। ସେମାନେ ପ୍ରଥମେ ଗାଁର ଶାନ୍ତି ମୁଣ୍ଡାଙ୍କ ଘର ଭାଙ୍ଗି ବିଭିନ୍ନ ଜିନିଷପତ୍ର ନଷ୍ଟ କରିବା ସହିତ ଚାଉଳ ଖାଇଥିଲେ।
ଗାଁକୁ ହାତୀପଲ ଆସିଥିବା ଖବର ଶୁଣି ଭୟଭୀତ ଆରତି ମୁଣ୍ଡା ଘରୁ ବାହାରି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ହାତୀପଲ ହାବୁଡ଼ରେ ପଡ଼ି ଯାଇଥିଲେ। ଗୋଟିଏ ହାତୀ ତାଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେଇଥିଲା।
ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲକୁ ଘଉଡ଼ାଇବା ସହ ଆରତି ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ ଏହି ହାତୀପଲ କନ୍ତରକୋଇଡ଼ା ଗାଁରୁ ଧୁବୁଲାବେଢ଼ା ଗାଁକୁ ଯାଇ ରୋଶନ କିଷାନଙ୍କ ଘରର କାନ୍ଥ ଭାଙ୍ଗିବା ସହିତ ମକା ଖାଇଥିଲେ।
କୋଇଡ଼ାରୁ ସୁନୀଲ କୁମାର ପଣ୍ଡାଙ୍କ ରିପୋର୍ଟ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।