/odisha-reporter/media/post_attachments/uploadimage/library/16_9/16_9_0/Accident_1722877886.jpg)
Accident
ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବରଡ଼ିରେ ଆଜି ସନ୍ଧ୍ୟାରେ ଏକ ଅଟୋ ବାଉଁଶ ନଦୀରେ ପଡ଼ିଯିବାରୁ ୮ ଜଣ ମହିଳା ଓ ଡ୍ରାଇଭର ଆହତ ହୋଇଛନ୍ତି। ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଗଞ୍ଜାମ ଜିଲାର ବହୁ ଶ୍ରମିକ ଅଟୋ ଯୋଗେ ବାଣପୁର ଓ ଚିଲିକା ବ୍ଳକର ବିଭିନ୍ନ ଅଞ୍ଚଳରେ ଧାନ ବିଲରେ କାମ କରିବା ପାଇଁ ଆସନ୍ତି। କାମ ସାରି ସନ୍ଧ୍ୟାରେ ପୁଣି ଅଟୋ ଯୋଗେ ନିଜ ନିଜ ଗାଁକୁ ଚାଲି ଯାଆନ୍ତି। ଆଜି ମଧ୍ୟ ଗଞ୍ଜାମ ଜିଲା ଷଣ୍ଡମୂଳ ଓ ନୂଆଗଡ଼ ଗ୍ରାମର ୧୩ ଜଣ ମହିଳା ଏବଂ ଜଣେ ପୁରୁଷ ଶ୍ରମିକ ବାଣପୁର ଅଞ୍ଚଳକୁ ଆସିଥିଲେ। ସେମାନେ ବାଣପୁର ନିକଟସ୍ଥ ଆୟତ୍ତପୁରରେ କାମ କରିଥିଲେ। କାମ ସାରି ସନ୍ଧ୍ୟା ପ୍ରାୟ ସାଢେ ସାତଟାରେ ସେମାନେ ଅଟୋରେ ଫେରୁଥିବା ବରଡ଼ି ଛକ ନିକଟରେ ଅଟୋଟି ଭାରସ୍ୟାମ ହରାଇ ବାଉଁଶ ନଦୀ ମଧ୍ୟକୁ ଖସି ପଡ଼ିଥିଲା।
ସ୍ଥାନୀୟ ଲୋକେ ଏହା ଦେଖିପାରି ତୁରନ୍ତ ଶ୍ରମିକମାନଙ୍କୁ ନଦୀରୁ ଉଦ୍ଧାର କରିବା ସହ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଓ ପୁଲିସ ପହଞ୍ଚି ଲୋକଙ୍କ ସହ ମିଶି ଆହତମାନଙ୍କୁ ଉଦ୍ଧାର କରି ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ସଇଳ ସ୍ୱାଇଁ ନାମକ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି।
କ୍ଷମତାଠାରୁ ଅଧିକ ଲୋକ ନେଇ ଅଟୋଟି ଯାଉଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
