Advertisment

ହାଇଟେକ୍‌ ହସ୍ପିଟାଲ ଟ୍ରାଜେଡି; ଆଉ ଜଣେ ଗୁରୁତର ଆଖି ବୁଜିଲେ, ପରିବାର ଆଣିଲା ସାଂଘାତିକ ଅଭିଯୋଗ

ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Sritam Sahu

Sritam Sahu

Advertisment

ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ମୃତକ ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ୨୩ ବର୍ଷୀୟ ଶ୍ରୀତମ ସାହୁ ।

Advertisment

ଶ୍ରୀତମ ପ୍ରାୟ ୨ ବର୍ଷ ହେବ ହାଇଟେକ୍‌ ମେଡିକାଲ କଲେଜରେ ଚାକିରି କରୁଥିଲେ। ସେ ପରିବାରର ଏକମାତ୍ର ରୋଜଗାରିଅ ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ସମଗ୍ର  ପରିବାର ବେସାହାରା ହୋଇ ପଡ଼ିଛି।

ଶ୍ରୀତମଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାରବର୍ଗଙ୍କୁ ଗତକାଲି  ରାତି ପ୍ରାୟ ୯ଟାରେ ସୂଚନା ଦିଆଯାଇଥିଲା। ଏହାପରେ ପରିବାର ଲୋକେ ହାଇଟେକ୍‌ ମେଡିକାଲ କଲେଜରେ ପହଞ୍ଚିଥିବା ବେଳେ ଆଜି ଆଣିଛନ୍ତି ସାଂଘାତିକ ଅଭିଯୋଗ ।

Advertisment

ଶ୍ରୀତମଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୯ ତାରିଖରେ ହୋଇଥିବା ବିସ୍ଫୋରଣରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ମାତ୍ର ମେଡିକାଲ ଉପରେ ଚାପ ପଡ଼ିବା ଭୟରେ ସେମାନେ ସମସ୍ତଙ୍କୁ ମୃତ ବୋଲି ଘୋଷଣା କରୁ ନାହାନ୍ତି। ଦିନେ, ୨ ଦିନ ଅନ୍ତରରେ ଜଣେ ଲେଖାଏ ଗୁରୁତରଙ୍କୁ ସେମାନେ ମୃତ ଘୋଷଣା କରୁଛନ୍ତି। ଗତ ୨ ଦିନ ପୂର୍ବେ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଏବେ ଆମ ପୁଅ ଆଖି ବୁଜି ସାରିଥିବା କହୁଛନ୍ତି । ଏହାପରେ ଅବଶିଷ୍ଟ ଗୁରୁତରଙ୍କୁ ବି ଏପରି ଭାବେ ମେଡିକାଲ କର୍ତ୍ତୃପକ୍ଷ ମୃତ ଘୋଷଣା କରିବେ ବୋଲି ସେ କହିଛନ୍ତି।

ଏଥିସହ ସେ କହିଛନ୍ତି, ବିସ୍ଫୋରଣ ପରଠୁ ପୁଅର ଚିକିତ୍ସା ଚାଲୁଥିବା କହୁଥିବା ବେଳେ ଆମକୁ କିନ୍ତୁ ପୁଅକୁ ଦେଖିବାକୁ ଛାଡ଼ୁ ନ ଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ କେବଳ ଭେଣ୍ଟିଲେଟର ଲଗାଇ ଭେଳିକି କରୁଥିଲେ। ପୁଅକୁ ଦେଖିବାକୁ ଚାହିଁବାରୁ ହସ୍ପିଟାଲର କର୍ମଚାରୀ ଓ ବାଉନ୍ସର ଭିତରକୁ ଛାଡ଼ୁ ନ ଥିଲେ। 

ଏହାବାଦ ପୁଅ ଆମ ଘରର ଏକମାତ୍ର ରୋଜଗାରିଆ ଥିବା ବେଳେ ଏବେ ତା’ ମୃତ୍ୟୁ ପରେ ଆମେ କିପରି ଚଳିବୁ ବୋଲି କୋହ ଭରା କଣ୍ଠରେ ପଚାରିଛନ୍ତି ଶ୍ରୀତମଙ୍କ ବାପା। ଏଥିନିମନ୍ତେ ସେ କ୍ଷତିପୂରଣ ଦାବି କରିଥିବା ବେଳେ ଏନେଇ ମେଡିକାଲ କର୍ତ୍ତୃପକ୍ଷ ପାଟି ଫିଟାଉ ନ ଥିବା ସେ ଅଭିଯୋଗ କରିଛନ୍ତି। 

ଏହି ବିସ୍ଫୋରଣରେ ଦୁଇ ଦିନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହାବାଦ ଏବେବି ଆଉ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ଗତ ୨୯ ତାରିଖରେ ହାଇଟେକ୍ ହସ୍‌ପିଟାଲ ହସ୍‌ପିଟାଲର ତୃତୀୟ ମହଲାରେ ଏକ ଏସିରେ ଗ୍ୟାସ୍‌ ଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇଥିଲା। ତେବେ ଏହି ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦିଲ୍ଲୀପଙ୍କର ଗତ ୩୧ ତାରିଖରେ ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ ଘୋଷଣା କରାଯାଇଥିଲା ।

ଦିଲ୍ଲୀପଙ୍କ ମୃତ୍ୟୁକୁ ସହଜେ ଗ୍ରହଣ ନ କରି ପାରି ତା’ ପରଦିନ ତାଙ୍କ ପତ୍ନୀ ସୁନା ସାମନ୍ତରାୟ ନୂଆ ବର୍ଷ ଦିନ ଜୀବନ ହାରିଛନ୍ତି। ଦିଲ୍ଲୀପ ଓ ସୁନାଙ୍କ ବିବାହକୁ ୨ ବର୍ଷ ପୂରି ନ ଥିବା ବେଳେ ସ୍ୱାମୀଙ୍କ ଏପରି ମୃତ୍ୟୁକୁ ସେ ସହଜେ ଗ୍ରହଣ କରି ପାରି ନ ଥିଲେ। ସେ ନୂଆଗାଁ ସ୍ଥିତ ବାପଘରେ ଥିବାବେଳେ ନୂଆ ବର୍ଷ ସକାଳେ ନିଜ ରୁମ୍‌ରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ତେବେ ଏହି ବିସ୍ଫୋରଣରେ ଗୁରୁତର ହୋଇଥିବା ଆଉ ୨ ଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ଥିବାରୁ ସେମାନଙ୍କ ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖୁନି। ତେବେ ଶ୍ରୀତମଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗ ଆଣିଥିବା ସାଂଘାତିକ ଅଭିଯୋଗ ଉପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନି। 

Bhubaneswar Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe