Advertisment

ପରିବାର ଲୋକଙ୍କ ସହିତ ସିକ୍କିମ ବୁଲିବାକୁ ଯାଇଥିଲେ ଓଡ଼ିଶାର ବିଜେପି ନେତ୍ରୀ; ନଦୀରେ ଗାଡ଼ି ପଡ଼ି ଯିବାରୁ ତାଙ୍କ ସମେତ ୯ ନିଖୋଜ

ଗତ ରବିବାର ରାତି ସାଢ଼େ ୧୨ଟାରେ ଯାଜପୁର ରୋଡ୍‌ରୁ ଇତିଶ୍ରୀ ଜେନା ଓ ତାଙ୍କ ପରିବାର ଲୋକେ ସିକ୍କିମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ଅଦ୍ୟତନ ହୋଇଛି
Itishree Jena

Itishree Jena

Advertisment

ପରିବାର ଲୋକଙ୍କ ସହିତ ସିକ୍କିମ ବୁଲିବାକୁ ଯାଇଥିବା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଂପାଦକ ଇତିଶ୍ରୀ ଜେନା ଗତକାଲି ରାତିରେ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ସମେତ ମୋଟ ୯ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଇତିଶ୍ରୀଙ୍କ ସହିତ ତାଙ୍କ ପରିବାରର ଆଉ ତିନି ଜଣ ସଦସ୍ୟ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ସିକ୍କିମ ପୁଲିସ ସହିତ ଆଇଟିବିପି ଓ ଏନ୍‌ଡିଆରଏଫ୍‌ ଟିମ୍ ପ୍ରୟାସ ଜାରି ରଖିଛନ୍ତି।

Advertisment

ଗତ ରବିବାର ରାତି ସାଢ଼େ ୧୨ଟାରେ ଯାଜପୁର ରୋଡ୍‌ରୁ ଇତିଶ୍ରୀ ଜେନା ଓ ତାଙ୍କ ପରିବାର ଲୋକେ ସିକ୍କିମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଇତିଶ୍ରୀଙ୍କ ସହିତ ତାଙ୍କର ଦୁଇ ଭାଇ, ଜଣେ ଭାଉଜ, ଦୁଇ ଭଉଣୀ, ଦୁଇ ପୁଅ, ଜଣେ ପୁତୁରା ଓ ଦୁଇ ଜଣ ଝିଆରୀ ସିକ୍କିମ ଯାଇଥିଲେ। ଗତକାଲି ସେମାନେ କାଲାପଥର ଓ ଅନ୍ୟାନ୍ୟ ସ୍ଥାନ ବୁଲିବାକୁ ଯାଇଥିଲେ। ‍‍ବୁଲାବୁଲି କରି ରାତି ପ୍ରାୟ ୮ଟା ବେଳେ ୨ଟି ଗାଡ଼ିରେ କିଛି ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ସହ ସେମାନେ ଲାଚେନରୁ ଲାଚୁଙ୍ଗ ଫେରୁଥିଲେ। ପ୍ରତି ଗାଡ଼ିରେ ଥିଲେ ୧୦ ଜଣ ଲେଖାଏଁ ପର୍ଯ୍ୟଟକ ଓ ଜଣେ ଲେଖାଏଁ ଡ୍ରାଇଭର। ଅର୍ଥାତ୍ ଦୁଇଟି ଯାକ ଗାଡ଼ିରେ ୧୧ ଜଣ ଲେଖାଏଁ ଥିଲେ। ଆଗ ଗାଡ଼ିରେ ୫ ଜଣ ଓଡ଼ିଆ ଥିବା ବେଳେ ବାକି ୬ ଜଣ ଓଡ଼ିଆ ଥିଲେ ପଛ ଗାଡ଼ିରେ। ତେବେ କିଛି ବାଟ ଯିବା ପରେ ଆଗ ଗାଡ଼ିର ଲୋକେ ଦେଖିଲେ ପଛ ଗାଡ଼ିଟି ଆସୁନାହିଁ। ଅନ୍ୟ ଗାଡ଼ିଟି କାହିଁକି ଆସୁନି ବୋଲି ଭାବେ ସେମାନେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁଲିସକୁ ଖବର ଦେଇଥିଲେ। ଆଉ ତା’ପରେ ସାମ୍ନାକୁ ଆସିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ତେବେ ଲାଚେନରୁ ଲାଚୁଙ୍ଗ ଫେରୁଥିବା ବେଳେ ଇତିଶ୍ରୀ ଯେଉଁ ଗାଡ଼ିରେ ବସିଥିଲେ, ତାହା ଦୁର୍ଘଟଣାଗ୍ରସ୍ତ ହୋଇ ୧୦୦୦ ଫୁଟ୍ ତଳକୁ ଖସି ତିସ୍ତା ନଦୀରେ ପଡ଼ିଥିଲା।

ଇତିଶ୍ରୀଙ୍କ ସହିତ ସିକ୍କିମ ଯାଇଥିବା ତାଙ୍କ ଭାଇ ଶିଶିର ନାୟକ କହିଛନ୍ତି, ଆମେ ଶେଆରିଂ ଗାଡ଼ିରେ ବୁଲାବୁଲି କରିବାକୁ ଯାଇଥିଲୁ। ଆମେ ଦୁଇଟି ଗାଡ଼ିରେ ଫେରୁଥିଲୁ। ଗୋଟିଏ ଗାଡ଼ିରେ ଆମ ପରିବାରର ୫ ଜଣ ଓ ଅନ୍ୟଟିରେ ୬ ଜଣ ବସିଥିଲେ। ଆଗ ଗାଡ଼ିରେ ମୁଁ, ମୋର ଦୁଇ ବଡ଼ ଭଉଣୀ ଓ ଦୁଇ ଝିଅ ଥିଲୁ। ତା’ ସହିତ ଆମ ଗାଡ଼ିରେ ଡ୍ରାଇଭରଙ୍କୁ ଛାଡ଼ି ଅନ୍ୟ ରାଜ୍ୟର ଆଉ ୫ ଜଣ ପର୍ଯ୍ୟଟକ ଥିଲେ। ସେହିପରି ପଛ ଗାଡ଼ିରେ ମୋ ଭଉଣୀ ଇତିଶ୍ରୀ ଜେନା (୪୬), ତା’ର ଦୁଇ ପୁଅ- ସାହିଲ ଜେନା (୨୧) ଓ ସାଇରାଜ ଜେନା (୧୭), ସାନ ଭାଇ ଅଜିତ ନାୟକ (୪୫), ଅଜିତର ପତ୍ନୀ ସୁନୀତା ନାୟକ (୪୨) ଓ ପୁଅ ସ୍ୱୟମ ସୁପ୍ରତିମ ନାୟକ (୧୬) ଥିଲେ। ସେମାନଙ୍କ ଗାଡ଼ିରେ ମଧ୍ୟ ଅନ୍ୟ ରାଜ୍ୟର ୪ ଜଣ ପର୍ଯ୍ୟଟକ ଓ ଡ୍ରାଇଭର ଥିଲେ। ଆମ ଗାଡ଼ି ଆଗରେ ଥିଲା। ଇତିଶ୍ରୀ ଓ ଅନ୍ୟମାନେ ଯେଉଁ ଗାଡ଼ିରେ ବସିଥିଲେ ତାହା ପଛରେ ଆସୁଥିଲା। ବହୁ ସମୟ ଧରି ଆମେ ପଛ ଗାଡ଼ିର ପତ୍ତା ନପାଇବାରୁ ଥାନାରେ ଅଭିଯୋଗ କଲୁ। ପୁଲିସ୍ ଖୋଜାଖୋଜି କରିବା ପରେ ଭୋର ପ୍ରାୟ ୫ଟା ବେଳକୁ ମୋ ଭଣଜା ସାଇରାଜ ଜେନା (ଇତିଶ୍ରୀଙ୍କ ସାନ ପୁଅ) ଓ ପୁତୁରା ସ୍ୱୟମ ସୁପ୍ରତିମ ନାୟକ (ସାନ ଭାଇ ଅଜିତ ନାୟକଙ୍କ ପୁଅ)ଙ୍କୁ ଉଦ୍ଧାର କରିଥିଲା। ସେମାନେ ପାଖାପାଖି ଗୋଟିଏ ସ୍ଥାନରେ ପଡ଼ିଥିଲେ। ସେହି ସ୍ଥାନରେ ପାଣି ନଥିଲା। କିନ୍ତୁ ସେଇ ସ୍ଥାନଟି ଓଦା ଥିଲା। ସେମାନଙ୍କୁ ଉଦ୍ଧାର କରି ଗ୍ୟାଙ୍ଗଟକ ଅଣାଯାଇଛି। ହସ୍‌ପିଟାଲରେ ସେମାନଙ୍କୁ ଆଇସିୟୁରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ଅନ୍ୟମାନଙ୍କୁ ଖୋଜି ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି।

Advertisment
Accidentନଦୀରେ ପଡ଼ିଥିବା କାର

ଶିଶିର ନାୟକ ଆହୁରି କହିଛନ୍ତି, ଆମ ପରିବାରର ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଆହୁରି ୪ ଜଣ ନିଖୋଜ ଅଛନ୍ତି। ଇତିଶ୍ରୀ, ତାଙ୍କ ବଡ଼ ପୁଅ ସାହିଲ, ମୋ ସାନ ଭାଇ ଅଜିତ ଓ ତାଙ୍କ ପତ୍ନୀଙ୍କ ସଂପର୍କରେ କିଛି ଜଣାପଡ଼ିନାହିଁ। 

Itishree Nayak with PM Narendra Modiପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇତିଶ୍ରୀ

ଏହି ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଓଡ଼ିଶାରୁ ଦୁଇ ଜଣ ବରିଷ୍ଠ ଅଧିକାରୀ ସିକ୍କିମ ଯାଇଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣ ବା ‘ଏସ୍‌ଟିଏ’ର ଅତିରିକ୍ତ କମିଶନର ଦୀପ୍ତି ପାତ୍ର ଓ ଜଏଣ୍ଟ କମିଶନର ବିକାଶ ଚୌଧୁରୀ ସିକ୍କିମ ଯାଇଛନ୍ତି ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନରେ ଏହି ଅଧିକାରୀମାନେ ସହଯୋଗ କରିବେ। ସେହିପରି ସିକ୍କିମ ସରକାରଙ୍କ ସହ ଓଡ଼ିଶା ସରକାର ନିରନ୍ତର ଯୋଗାଯୋଗରେ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Rescue Operationଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି।

ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାକୁ ନେଇ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗ ଦୁଃଖପ୍ରକାଶ କରିଛନ୍ତି। ସେ କହିଛନ୍ତି, ୨୯ ତାରିଖ ରାତିରେ ମାନଗନ ଜିଲ୍ଲା ଚୁବମ୍ବୁ ନିକଟରେ ଦୁର୍ଘଟଣା ଘଟିଥିଲା। ଲାଚେନରୁ ଲାଚୁଙ୍ଗ ଯିବାବେଳେ ତିସ୍ତା ନଦୀକୁ ଖସି ପଡ଼ିଥିଲା ପର୍ଯ୍ୟଟକଙ୍କ ଗାଡ଼ି। ଏସ୍‌ପିଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପୁଲିସ ସହ ITBP, ଅଗ୍ନିଶମ ଓ ମେଡିକାଲ ଟିମ୍‌ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ୨ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସର୍ଚ୍ଚ ଅପରେସନ ଜାରି ରହିଛି। NDRF ଟିମ୍ ଏଥିରେ ସାମିଲ୍ ହୋଇଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe