Advertisment

କୁକୁର ଭୁକିବାରୁ ଦୌଡ଼ୁଥିଲେ ଭାଇଭଉଣୀ, ଚଢ଼ିଗଲା ଟ୍ରେନ୍‌

ଉଭୟ କୁକୁର କବଳରୁ ତ ମୁକ୍ତି ପାଇଗଲେ ମାତ୍ର ଟ୍ରେନ୍‌ ଚକା ତଳେ ପଡ଼ିଗଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ଜୀବନ ଚାଲି ଯାଇଛି।

Brother & Sister

Brother & Sister

Advertisment

ସ୍କୁଲରୁ ଘରମୁହାଁ ହୋଇଥିଲେ ଭାଇଭଉଣୀ। ଉଭୟ ଚାଲି ଚାଲି ଯାଉଥିବା ବେଳେ ଆଉ କିଛି ସମୟରେ ଘରେ ପହଞ୍ଚିଥାନ୍ତେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ରାସ୍ତାରେ କୁକୁର ଭୁକିବାରୁ ଉଭୟ ଭାଇଭଉଣୀ ଜୀବନ ବିକଳରେ ଦୌଡ଼ିବାକୁ ଲାଗିଲେ। ଉଭୟ କୁକୁର କବଳରୁ ତ ମୁକ୍ତି ପାଇଗଲେ ମାତ୍ର ଟ୍ରେନ୍‌ ଚକା ତଳେ ପଡ଼ିଗଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ଜୀବନ ଚାଲି ଯାଇଛି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ରାଜସ୍ଥାନର ଜୋଧପୁରରେ ଘଟିଛି।

Advertisment

ଉଭୟଙ୍କ ପିତା ଅବସରପ୍ରାପ୍ତ ସେନା ଅଧିକାରୀ । ସେ ଜୋଧପୁରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ତାଙ୍କ ପୁଅଝିଅ ସେଠାରେ ଥିବା ଆର୍ମି ଚିଲଡ୍ରେନ୍‌ ସ୍କୁଲରେ ପାଠ ପଢ଼ୁଥିଲେ।

ଗତକାଲି ଅପରାହ୍ନ ୨ଟାରେ ସ୍କୁଲ ଛୁଟି ହେବା ପରେ ଉଭୟ ଭାଇଭଉଣୀ ସାଙ୍ଗ ହୋଇ ଚାଲି ଚାଲି ଘରକୁ ଫେରୁଥିଲେ। ମାତ୍ର ସେମାନେ ଏକ ଗଳିରେ ଅତିକ୍ରମ କରୁଥିବା ବେଳେ ହଠାତ୍‌ କିଛି କୁକୁର ତାଙ୍କୁ ଦେଖି ଜୋରରେ ଭୁକିବାକୁ ଲାଗିଲେ। ଏଥିରେ ଭୟଭୀତ ହୋଇ ପଡ଼ିଥିବା ଭାଇ ଭଉଣୀ ଦୌଡ଼ିବାକୁ ଲାଗିଲେ। ମାତ୍ର କିଛି ଦୂର ଯିବା ପରେ ସେମାନେ ଉଭୟ ପାର୍ଶ୍ୱକୁ ନ ଦେଖି ଟ୍ରେନ୍‌ ଲାଇନ୍‌ ଭିତରକୁ ଚାଲି ଯାଇଥିଲେ। 

Advertisment

ଉକ୍ତ ସମୟରେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଉଭୟ ଭାଇଭଉଣୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଖବର ପାଇ ପୁଲିସ୍‌ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ବୁଲା କୁକୁରଙ୍କୁ ପାଳୁଥିବାରୁ ସେମାନେ ଭୁକିଥିବା ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।

ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ଭାଇଭଉଣୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Accident Rajasthan Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe