Advertisment

ଘାଟିରେ ହାଇୱାକୁ ପିଟିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

‘ପାର୍ଥସାରଥୀ’ ନାମକ ଏକ ଘରୋଇ ବସ୍‌ ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି ପାରଳାଖେମୁଣ୍ଡିରୁ ଗଞ୍ଜାମ ଜିଲ୍ଲାର ଜରଡ଼ା ଗଡ଼କୁ ଆସୁଥିଲା। ଅପରାହ୍ନରେ ବସ୍‌ଟି କାନକଟା ଘାଟି ଉପରେ ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଥିଲା। ଡ୍ରାଇଭର ଯେତେ ଚେଷ୍ଟା କରିଥିଲେ ମଧ୍ୟ ବସ୍‌କୁ ଅଟକାଇ ପାରିନଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Bus Accident

Bus Accident

ଘାଟିରେ ବ୍ରେକ୍‌ ଫେଲ୍‌ ହେବାରୁ ହାଇୱାକୁ ପିଟିଲା ବସ୍‌। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ୪୦ରୁ ଅଧିକ ଯାତ୍ରୀ। ହେଲେ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମର କାନକଟା ଘାଟିରେ ଘଟିଛି।

Advertisment

‘ପାର୍ଥସାରଥୀ’ ନାମକ ଏକ ଘରୋଇ ବସ୍‌ ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି ପାରଳାଖେମୁଣ୍ଡିରୁ ଗଞ୍ଜାମ ଜିଲ୍ଲାର ଜରଡ଼ା ଗଡ଼କୁ ଆସୁଥିଲା। ଅପରାହ୍ନରେ ବସ୍‌ଟି କାନକଟା ଘାଟି ଉପରେ ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଥିଲା। ଡ୍ରାଇଭର ଯେତେ ଚେଷ୍ଟା କରିଥିଲେ ମଧ୍ୟ ବସ୍‌କୁ ଅଟକାଇ ପାରିନଥିଲେ। ବସ୍‌ଟି ସମ୍ମୁଖରେ ଯାଉଥିବା ଏକ ହାଇୱାକୁ ପଛ ପାର୍ଶ୍ୱରୁ ପିଟି ଦେଇଥିଲା। ଯାହାଫଳରେ ବସ୍‌ର ସମ୍ମୁଖ ଭାଗ ଚେପା ହୋଇଯାଇଛି। ବସ୍‌ରେ ଥିବା ଯାତ୍ରୀଙ୍କ ଭିତରୁ କିଛି ଆହତ ହୋଇଥିବା ବେଳେ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ।

ସ୍ଥାନୀୟ ଲୋକେ ଏନେଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ବସ୍‌ କ୍ୟାବିନ୍‌ ଝରକା ଭାଙ୍ଗି ଡ୍ରାଇଭରଙ୍କୁ ବାହାର କରିଥିଲେ। ତାଙ୍କୁ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଛାତିରେ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେପଟେ ଆହତ ହୋଇଥିବା ବସ୍‌ ଯାତ୍ରୀଙ୍କୁ ମଧ୍ୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଘାଟିରୁ ବସ୍‌ଟିକୁ ହଟାଇବା ପାଇଁ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିବା ଜଣାପଡ଼ିଛି।

Advertisment

କାନକଟା ଘାଟିରେ ବାରମ୍ୱାର ଦୁର୍ଘଟଣା ଘଟୁଛି। ରଜ ପୂର୍ବ ସନ୍ଧ୍ୟାରେ ପାରଳାଖେମୁଣ୍ଡିରୁ ଗଞ୍ଜାମ ଆସୁଥିବା ଆମ୍ୱ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ଘାଟିରେ ତଳକୁ ଖସି ପଡ଼ିଥିଲା। ଯାହାଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଜଣେ ଗୁରୁତର ହୋଇଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏହା ପୂର୍ବରୁ ମଧ୍ୟ ବହୁ ଦୁର୍ଘଟଣା ସେହି ଘାଟିରେ ଘଟିଛି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

Ganjam Bus Accident