Advertisment

ବାରବାଟୀ ଛକରେ ଓଭର ବ୍ରିଜ୍‌ରୁ ତଳକୁ ଖସିଲା ବସ୍, ୫ ମୃତ

ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଓ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
BUS

BUS

ଯାଜପୁରରେ ବଡ଼ଧରଣର ବସ୍‌ ଦୁର୍ଘଟଣା। ଏନ୍‌ଏଚ୍‌-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଛି ଗୋଟିଏ ଯାତ୍ରୀବାହୀ ବସ୍‌। ବସ୍‌ଟି ପୁରୀରୁ ଆଜି ଦିନ ୪ଟାରୁ ବାହାରିଥିଲା। ଏହା ପଶ୍ଚିମବଙ୍ଗର ହଳଦିଆ ଯିବାର ଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀଥିଲେ। କିନ୍ତୁ ଅଧା ବାଟରେ ଏପରି ଦୁର୍ଘଟଣା ଘଟିଛି। 

Advertisment

ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଏସଡିଏମଓ ସୂଚନା ଦେଇଛନ୍ତି। 

ପ୍ରାଥମିକ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ନିଜେ ସିଡିଏମ ଓ ଗୋଟିଏ ଟିମ ସହ ଦୁର୍ଘଟଣାସ୍ଥଳକୁ ଆସିଥିଲେ।  

Advertisment

ବସ୍‌ଟି ତଳକୁ ଖସିଲା ବେଳେ ଏହା ତଳେ ଲୋକମାନେ ଯିବା ଆସିବା କରୁଥିଲେ। ସେହିପରି ନିକଟରେ ଗୋଟିଏ ମାର୍କେଟ ରହିଛି। ତେଣୁ ବସ୍‌ ତଳେ କିଛି ଲୋକ ଚାପି ହୋଇ ରହିଥିବା କୁହାଯାଉଥିଲା। କିନ୍ତୁ ସେମିତି କିଛି ବି ଘଟନି। 

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ଏସପି ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି। ଉଦ୍ଧାରକାରୀ ଟିମକୁ ସେମାନଙ୍କୁ ସାଧାରଣ ଲୋକମାନେ ରେସ୍କ୍ୟୁ ଅପରେସନରେ ସହାୟତା କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ୧୬ଟି ଆମ୍ବୁଲାନ୍ସ ଓ ୫ଟି କ୍ରେନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। 

ବସ୍‌ଟି ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲେ ହେଁ କେଉଁଭଳି ପରିସ୍ଥିତିରେ ଏପରି ଘଟଣା ଘଟିଲା ସେକଥା ଜଣାପଡ଼ିନାହିଁ। କୁହାଯାଉଛି ଯେ ଗାଡ଼ିର ବେଗ ଅଧିକ ଥିବାରୁ ଡ୍ରାଇଭର ଜଣଙ୍କ ଏହା ଉପରକୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଓଭରବ୍ରିଜ୍‌ରୁ ସିଧା ତଳକୁ ଖସି ପଡ଼ିଛି। କିନ୍ତୁ ପୁଲିସ୍‌ କିମ୍ବା ପ୍ରଶାସନ ପକ୍ଷରୁ ଏପରି ଦାବିକୁ ନିଶ୍ଚିତ କରାଯାଇ ନାହିଁ।

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା  ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ ଓଭରବ୍ରିଜ ତଳକୁ ଖସିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।  ସେ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। 

ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Odisha Accident Jajpur