Advertisment

Bus Accident: ଦୁର୍ଘଟଣା ପରେ ଆନ୍ଧ୍ରରେ ଜଳିଗଲା ଓଡ଼ିଶା ବସ୍‌: ୨୦ ଜୀବନ୍ତ ଦଗ୍ଧ, କଟିଥିଲା ୨୩ ହଜାର ଟଙ୍କାର ଚାଲାଣ

ଆନ୍ଧ୍ରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଘରୋଇ ବସ୍‌ଟି ଓଡ଼ିଶାର। ଏହାର ତେଲଙ୍ଗାନାର ନୁହେଁ। ବସ୍‌ଟି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ପଞ୍ଜିକୃତ ହୋଇଥିଲା ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

author-image
Hemant Lenka
Bus

ଦୁର୍ଘଟଣାଗ୍ରସ୍ତ ବସ୍‌

ଆନ୍ଧ୍ର ପ୍ରଦେଶ(Andhra Pradesh)ର କୁରନୁଲରେ ଭୟଙ୍କର ଦୁର୍ଘଟଣା। ଗୋଟିଏ ଯାତ୍ରୀବାହୀ ବସ୍‌ ଓ ବାଇକ ମଧ୍ୟରେ ହୋଇଛି ଧକ୍କା। ଦୁର୍ଘଟଣା( Bus Accident) ଏତେ ଭୟଙ୍କର ରହିଥିଲା ଯେ ବସ୍‌ରେ ଥିବା ପ୍ରାୟ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। କିଛି ମୃତଦେହ ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ସେମାନଙ୍କ ପରିଚୟ ମଧ୍ୟ ହାସଲ କରିବା ପ୍ରଶାସନ ପାଇଁ କାଠିକର ପାଠ ହୋଇ ପଡ଼ିଛି। 

Advertisment

ତେବେ ଆନ୍ଧ୍ରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଘରୋଇ ବସ୍‌ଟି ଓଡ଼ିଶାର। ଏହାର ତେଲଙ୍ଗାନାର ନୁହେଁ। ବସ୍‌ଟି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ପଞ୍ଜିକୃତ ହୋଇଥିଲା ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

ଅଧିକାରୀଙ୍କ କହିବା କଥା ଯେ ବସ୍‌ ପାଇଁ ଜାରି ହୋଇଥିବା ଫିଟ୍‌ନେସ ଓ ଅନୁମତି ସଂକ୍ରାନ୍ତ ସମସ୍ତ କାଗଜପତ୍ର ଓଡ଼ିଶାର ରାୟଗଡ଼ାରୁ ଜାରି ହୋଇଛି। ଏପରି କି ଦୁର୍ଘଟଣାଗ୍ରସ୍ତ ବସ୍‌ ନାଁରେ ଏକାଧିକ ଇ-ଚାଲାଣ ତେଲଙ୍ଗାନାରେ କଟିଛି। ଦ୍ରୁତଗତିରେ ଗାଡ଼ି ଚଳାଇ, ରଙ୍ଗ ରୁଟରେ ଗାଡ଼ିକୁ ନେବା ଓ ବିପଦ ଜନକ ଡ୍ରାଇଭିଂ ପାଇଁ ବସ୍‌ ନାଁରେ ମୋଟ ୨୩ ହଜାର ଟଙ୍କାର ଚାଲାଣ ରହିଥିବା ଯାଞ୍ଚରୁ ଜଣାପଡ଼ିଛି। 

Advertisment

ପ୍ରଶାସନର କହିବା କଥା ଯେ ରାୟଗଡ଼ା ଆରଟିଓଙ୍କ ନିକଟରେ ବସ୍‌ର ପଞ୍ଜିକରଣ ୨୦୧୮ ମସିହା ଅଗଷ୍ଟ ୮ ତାରିଖରେ ହୋଇଥିଲା। ଏହାର ଫିଟନେସ ୨୦୨୭ ମାର୍ଚ୍ଚ ୩୧ ଯାଏ ବୈଧ ରହିଛି। ସେହିପରି ଟିକସ, ବୀମା ୨୦୨୬ ଯାଏ ବୈଧ ଥିବାବେଳେ ପ୍ରଦୂଷଣର ବୈଧତା ଅକ୍ଟୋବର ୩୧ରେ ଶେଷ ହେବାର ଥିଲା।

ଗାଡ଼ିଟି ୭ ବର୍ଷ ୨ ମାସ ପୁରୁଣା ହୋଇଥିବା ବେଳେ ୨୦୩୦ ଯାଏ ଏହା ରାସ୍ତାରେ ଚାଲିବାକୁ ଅନୁମତି ପାଇଥିଲା। ବସ୍‌ ନାଁରେ ଏକାଧିକ ଥର ଇ-ଚାଲାଣ କଟିଥିଲେ ହେଁ ଏହାକୁ ପୈଠ କରାଯାଇ ନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। 

ଶୁକ୍ରବାର ଭୋର ପ୍ରାୟ ୩.୩୦ରେ କୁରନୁଲ ଜିଲ୍ଲାର ଚିନ୍ନାଟେକୁର ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରୀଙ୍କୁ ନେଇ ଏହା ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଗୋଟିଏ ବାଇକ ସହ ଧକ୍କା ହୋଇଥିଲା।

ପ୍ରବଳ ବର୍ଷା ଯୋଗୁ ଏପରି ଦୁର୍ଘଟଣା ହୋଇଥିବା କୁହାଯାଉଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସରେ ନିଆଁ ଲାଗି ଯାଇଥିଲା। ଚାହୁଁଚାହୁଁ ପୂରା ବସ୍‌କୁ ନିଆ ବ୍ୟାପିଯାଇଥିଲା ଓ ଏଥିରେ ୨୦ ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। 

Odisha
ଆରଟିଓ


ନିଆଁରେ ପୋଡ଼ି ହୋଇ ୨୦ ଜଣ ପ୍ରାଣ ହରାଇଥିବା ବେଳେ ବାକି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୧୨ ଜଣ ଯାତ୍ରୀ ଏମର୍ଜେନ୍ସି ଗେଟରେ ବାହାରିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି। ଏବେ ଘଟଣାର ଯାଞ୍ଚ ଓଡ଼ିଶା, ଆନ୍ଧ୍ର ଓ ତେଲଙ୍ଗନା ପ୍ରଶାସନ ମିଳିତ ଭାବେ କରୁଛନ୍ତି। 

ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ପ୍ରମୁଖ ଘଟଣାରେ ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି। 

Odisha Accident Andhra Pradesh Bus Accident