Advertisment

ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଲା ବସ୍‌

ବସ୍‌ଟିରେ ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଥିଲେ।

Accident

Accident

Advertisment

ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଆଜି ଅପରାହ୍ନରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କେହି ଗୁରୁତର ନାହାନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Advertisment

ନୀଳକଣ୍ଠ ନାମକ ଏହି ଘରୋଇ ବସ୍‌ଟି ଭୁବନେଶ୍ୱରରୁ ଆସ୍କା ଅଭିମୁଖେ ଯାଉଥିଲା। ବସ୍‌ଟିରେ ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଥିଲେ। ଦିନ ପ୍ରାୟ ୨ଟା ବେଳେ ବସ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା।

ଦୁର୍ଘଟଣାଗ୍ରସ୍ତ ବସ୍‌ଟିର ଗୋଟିଏ ଆଗ ଚକ ପୂରା ବାହାରି ଯାଇଥିଲା। ସୂଚନା ଅନୁଯାୟୀ, ଷ୍ଟିୟରିଂ ଫେଲ୍‌ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଛି।

Advertisment

ବସ୍‌ଟି ଜାତୀୟ ରାଜପଥ ଉପରେ ଓଲଟି ପଡ଼ିବା ପରେ ଯାତ୍ରୀମାନେ ଚିତ୍କାର କରିଥିଲେ। ଆଖପାଖରେ ଥିବା ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। କିଛି ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ବସ୍‌ଟିରୁ ନିଜେ ବାହାରିଥିବା ବେଳେ ଅନ୍ୟମାନଙ୍କୁ ଘଟଣାସ୍ଥଳକୁ ଦୌଡ଼ି ଆସିଥିବା ଲୋକମାନେ ଉଦ୍ଧାର କରିଥିଲେ।

Accidentଓଲଟି ପଡ଼ିଛି ବସ୍‌

ଖବର ପାଇ ପୁଲିସ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନେ ଡାକ୍ତରଖାନା ଯାଇ ନଥିଲେ। ଅନ୍ୟ ୫ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କୁ ଡାକ୍ତରମାନେ ଚିକିତ୍ସା କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଜାତୀୟ ରାଜପଥ ଉପରେ ଗୋଟିଏ ପଟରେ ବସ୍‌ଟି ଓଲଟି ପଡ଼ିଥିବାରୁ କିଛି ସମୟ ଧରି ସେହି ପାର୍ଶ୍ୱରେ ଗାଡ଼ି ଚଳାଚଳକୁ ବନ୍ଦ ରଖାଯାଇଥିଲା। ହାଇଡ୍ରା ମେସିନ ଦ୍ୱାରା ବସ୍‌ଟିକୁ ସେଠାରୁ ସ୍ଥାନାନ୍ତର କରାଯିବା ପରେ ପୁଣି ଥରେ ୧୬ ନମ୍ବର ଜାତୀୟ ରାଜପଥର ସେହି ପାର୍ଶ୍ୱରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

ଘଟଣାର ତଦନ୍ତ କରାଯାଉଛି। ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଯାଞ୍ଚ କଲା ପରେ ଓ ଡ୍ରାଇଭରଙ୍କୁ ପଚରାଉଚରା କରିବା ପରେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ଯଦି ଷ୍ଟିଅରିଂ ଫେଲ୍‌ ଯୋଗୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ତା’ହେଲେ ପ୍ରଶ୍ନ ଉଠୁଛି ୪୦/୪୫ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏଥିରେ କୌଣସି ବୈଷୟିକ ତ୍ରୁଟି ନାହିଁ ବୋଲି କାହିଁକି ସୁନିଶ୍ଚିତ କରାଯାଇ ନଥିଲା। ଏଭଳି କରି ଯାତ୍ରୀଙ୍କ ଜୀବନ ସହିତ ଖେଳା ଯାଉନାହିଁ କି? ସୌଭାଗ୍ୟ ବଶତଃ ବସ୍‌ଟି ଓଲଟି ପଡ଼ିବା ସତ୍ତ୍ୱେ ଯାତ୍ରୀଙ୍କ ସହିତ କିଛି ବଡ଼ ଅଘଟଣ ଘଟି ନାହିଁ। ବସ୍‌ଟିର ଫିଟନେସ ସହିତ ଅନ୍ୟାନ୍ୟ ଦିଗ ଉପରେ ଯାଞ୍ଚ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଗଲେ, ହୁଏତ ଭବିଷ୍ୟତରେ ଅବହେଳାରୁ ଘଟୁଥିବା ଦୁର୍ଘଟଣାକୁ ହ୍ରାସ କରାଯାଇପାରେ।

Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe