Advertisment

କାର୍ ପଛରେ ଲେଖା ଅଛି ‘ଟିକେ ହସି ଦିଅ’, କିନ୍ତୁ ଆଜି ଏହି କାର ଏକ ପରିବାରକୁ କନ୍ଦାଇ ଦେଲା

ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ନନ୍ଦପୁରରେ।

author-image
Jitendra Garnayak
Car

Car

ଉପରେ ଫଟୋରେ ଥିବା କାର୍‌ର ପଛରେ ଲେଖାଯାଇଛି ‘ଟିକେ ହସି ଦିଅ’। ସତରେ, ଯାହାର ବି ନଜର ପଡ଼ିଥିବ, ସେ ଏହାକୁ ପଢ଼ି ନିଶ୍ଚୟ ଟିକେ ହସି ଦେଇଥିବେ। ଏହା ଅନେକଙ୍କୁ ହସିବାର ଖୋରାକ ଯୋଗାଇଥିବ। ହେଲେ ଆଜି ଏହି କାର ଗୋଟିଏ ପରିବାରକୁ କନ୍ଦାଇ ଦେଇଛି। ସେହି ପରିବାରର ଜଣଙ୍କ ଜୀବନ ନେଇ ଯାଇଛି ଏହି କାର।

Advertisment

ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ନନ୍ଦପୁରରେ। ସକାଳ ପ୍ରାୟ ୧୦ଟା ବେଳେ କଲେଜ ଯାଉଥିଲେ ପ୍ରଭାସିନୀ ନାୟକ। ସେ ଥିଲେ ଯୁକ୍ତ ଦୁଇର ଛାତ୍ରୀ। ତଳପଦା ସ୍ଥିତ ମଣିକଲାଲ ମହିଳା କଲେଜରେ ସେ ପଢୁଥିଲେ।

ପ୍ରଭାସିନୀ କଲେଜ ଯାଉଥିବା ବେଳେ ନନ୍ଦପୁର ଛକ ନିକଟରେ ଏହି କାରଟି ସାମ୍ନାରୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଡ୍ରାଇଭରକୁ ଧରି ମାଡ଼ ମାରିବା ସହିତ କାରକୁ ଭଙ୍ଗାରୁଜା କରିଥିଲେ। ତା’ ସହିତ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପ୍ରଭାସିନୀଙ୍କ କଲେଜର ଛାତ୍ରୀମାନେ ମଧ୍ୟ ରାସ୍ତାରୋକ କରିଥିଲେ।

ତିହିଡ଼ି ବିଡିଓ, ତହସିଲଦାରଙ୍କ ସହିତ ତିହିଡି ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହା ସହିତ ରେଡକ୍ରସ୍ ପାଣ୍ଠିରୁ ପ୍ରଭାସିନୀଙ୍କ ପରିବାର ଲୋକଙ୍କୁ ୨୫ ହଜାର ଟଙ୍କା ଦେବା ସହିତ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ରାସ୍ତାରୋକ ହଟିଥିଲା। ପୁଲିସ୍‌ କାର୍‌ଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଥାନାକୁ ନେଇଥିଲା।

Accident