Advertisment

‘ଆମ ବସ୍‌’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା

ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍‌ର ଡ୍ରାଇଭର ଓ ଗାଇଡଙ୍କୁ ତତ୍‌କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

author-image
Jitendra Garnayak
Ama Bus

Ama Bus

ଆମ ବସ୍ ଧକ୍କାରେ ଆଜି ଦୁଇ ଜଣ ବ୍ୟକ୍ତି ଆହତ ହେବା ଘଟଣାରେ କ୍ରୁଟ୍‌ (କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପର୍ଟ) ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଦୁର୍ଘଟଣା ଘଟାଇଥିବା ବସ୍‌ର ଡ୍ରାଇଭର ଓ ଗାଇଡ୍‌ଙ୍କୁ ବହିଷ୍କାର କରିଛି କ୍ରୁଟ୍‌। ଏହି ଦୁଇ ଜଣ ସତର୍କ ରହିଥିଲେ ଓ ଯତ୍ନବାନ ହୋଇଥିଲେ ଏହି ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥା’ନ୍ତା ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Advertisment

ଆଜି ଦିନ ପ୍ରାୟ ୧୦ଟା ବେଳେ ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ବସ୍ ଟର୍ମିନାଲରେ ଏହି ଦୁର୍ଘଟଣା ଘଟିଥିଲା। ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜ ଓ କ୍ରୁଟ୍ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ ଖରା ହେଉଥିବାରୁ ଦୁଇ ଜଣ ଯାତ୍ରୀ ବସ୍ (୨୩ ନମ୍ବର ରୁଟ୍‌ରେ ଯାଉଥିବା OD 33 AJ 2671) ସାମ୍ନାରେ ଛାଇରେ ବସିଥିଲେ। ବସ୍‌ଟି ସେତେବେଳେ ମାଷ୍ଟର କ୍ୟାଣ୍ଟିନ ଟର୍ମିନାଲରେ ଛିଡ଼ା ହୋଇଥିଲା। ପ୍ରାୟ ୨୦ ମିନିଟ୍ ରହିବା ପରେ ବସ୍‌ଟି ପୁଣି ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ଡ୍ରାଇଭର ଜାଣିପାରି ନଥିଲେ ଯେ ବସ୍ ସାମ୍ନାରେ ଦୁଇ ଜଣ ଯାତ୍ରୀ ବସିଛନ୍ତି। ବସ୍ ଯାତ୍ରା ଆରମ୍ଭ କରିବା ମାତ୍ରେ ଦୁଇ ଜଣ ଯାକ ଯାତ୍ରୀ ଏହା ତଳେ ଫସି ଯାଇଥିଲେ। ସେତେବେଳେ ଆଖପାଖରେ ଥିବା ଲୋକେ ଏହା ଦେଖି ବସ୍‌ ଅଟକାଇବାକୁ ଚିତ୍କାର କରିଥିଲେ। ପାଟି ଶୁଣି ଡ୍ରାଇଭର ବସ୍‌କୁ ପଛକୁ ଫେରାଇ ଥିଲେ। ଏହି ଘଟଣାରେ ଦୁଇ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି। କ୍ୟାପିଟାଲ ହସପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି।

ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍‌ର ଡ୍ରାଇଭର ଓ ଗାଇଡଙ୍କୁ ତତ୍‌କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Advertisment

ଏଇ କିଛି ମାସ ମଧ୍ୟରେ ‘ଆମ ବସ୍’ ଅନେକ ଦୁର୍ଘଟଣା ଘଟାଇ ଥିବା ବେଳେ କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ ସୁରକ୍ଷିତ ଡ୍ରାଇଭିଂ ଓ ଯଥାଚିତ ବ୍ୟବହାର ପାଇଁ ପ୍ରତ୍ୟେକ ଦିନ ସକାଳେ ସମସ୍ତ ଡିପୋରୁ ବସ୍ ଛାଡ଼ିବା ପୂର୍ବରୁ କର୍ମଚାରୀମାନଙ୍କୁ କାଉନସେଲିଂ କରାଯାଉଛି। ୨୦୨୪ ନଭେମ୍ବର ୭ ତାରିଖରୁ ଏ ପର୍ଯ୍ୟନ୍ତ କ୍ରୁଟ୍ ୨୧୦୦୦ ବ୍ରେଥ୍ ଆନାଲାଇଜର ଟେଷ୍ଟ ସହିତ ବସ୍‌ର ବେଗ ନେଇ ୬୦୦୦ ଟେଷ୍ଟ କରିସାରିଛି। ସେହିଭଳି ପାଇଲଟ ପଦକ୍ଷେପ ସ୍ୱରୂପ କ୍ରୁଟ୍ ୪ଟି ବସ୍‌ରେ ADAS ବ୍ୟବସ୍ଥା ଲଗାଇଛି। ଯାତ୍ରୀ ଓ ପଥଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ବୋଲି କ୍ରୁଟ୍ କହିଛି।

ଆମ ବସ୍ ଡ୍ରାଇଭରଙ୍କ ବେପରୁଆ ବସ୍ ଚାଳନା ଯୋଗୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ କ୍ରୁଟ୍‌ ନେଇଥିବା ପଦକ୍ଷେପ (ଆଜି ଜଣେ ଡ୍ରାଇଭର ଓ ଗାଇଡଙ୍କୁ ବିଦା କରିବା) କେତେ ଫଳପ୍ରଦ ସାବ୍ୟସ୍ତ ହେଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।

Ama Bus