Advertisment

ନର୍ସିଂହୋମ୍‌ରେ ଲାଗିଲା ନିଆଁ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନର୍ସିଂହୋମ୍‌ରୁ ଉଦ୍ଧାର ହୋଇଥିବା ରୋଗୀଙ୍କୁ ମେଡ଼ିକାଲ୍‌ ନେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଆମ୍ୱୁଲାନ୍ସ ଆସି ପାରିନଥିଲା। ଯେଉଁଥିପାଇଁ ରୋଗୀମାନେ ରାସ୍ତାରେ କଲବଲ ହୋଇଥିଲେ।

Cuttack

Cuttack

Advertisment

ରୁପାର ସହର କଟକରେ ଏକ ଘରୋଇ ନର୍ସିଂହୋମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ନର୍ସିଂହୋମ୍‌ରୁ ଉଦ୍ଧାର ହୋଇଥିବା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ପୁରୀ ଘାଟ ଥାନା କାଠଯୋଡି ନଦୀ ପଠାରେ ରହିଛି ତ୍ରୀଶା ନର୍ସିଂହୋମ୍‌। ଏହି ନର୍ସିଂହୋମ୍‌ର ତୃତୀୟ ମହଲାରେ ରହିଛି ଆଇସିୟୁ। ଯେଉଁଠି ଗୁରୁତର ରୋଗୀ ଓ ନବଜାତ ଶିଶୁଙ୍କ ଚିକିତ୍ସା ଚାଲିଥିଲା। ଠିକ୍‌ ସେହି ସମୟରେ ଅର୍ଥାତ ଅପରାହ୍ନ ପ୍ରାୟ ସାଢ଼େ ୩ଟା ଭିତରେ ନର୍ସିଂହୋମ୍‌ର ଅଫିସ୍‌ରେ ଏସିରୁ ଧୂଆଁ ବାହାରିଥିଲା। ଚାହୁଁ ଚାହୁଁ ସେହି ଧୂଆଁ ତୃତୀୟ ମହଲାରେ ବ୍ୟାପୀ ଯାଇଥିଲା। ବିଦ୍ୟୁତ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ଖବର ପ୍ରକାଶ ପାଇବା ପରେ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଆଉ ଆରମ୍ଭ ହୋଇଥିଲା ଧାଁ ଦୌଡ଼ା।

ନର୍ସିଂହୋମ୍‌ରେ ନିଆଁ ଲାଗିଥିବା ଖବର ପାଇଁ ଅଗ୍ନିଶମ ବିଭାଗର ୩ଟି ଟିମ୍‌ ପହଞ୍ଚିଥିଲା। ପ୍ରଥମେ ରୋଗୀଙ୍କୁ ଉଦ୍ୟମ କରାଯାଇଥିଲା। ସିଡି ପକାଇ ତୃତୀୟ ମହଲାରୁ ଅତି ଦୟନୀୟ ଭାବେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା। ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଉଦ୍ଧାର କରାଯାଇ କଟକ ଏସ୍‌ସିବି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସେଠାରେ ଚିକିତ୍ସା ଚାଲିଛି। ସେହିପରି ୧୫ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇ ଶିଶୁ ଭବନରେ ଭର୍ତ୍ତି କରାଯାଇଛି। ଧୂଆଁ ଭିତରେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିବା ଅଗ୍ନିଶମ ବିଭାଗ ପାଇଁ କାଠିକର ପାଠ ଥିଲା।

Advertisment

ସବୁଠାରୁ ଦୁଃଖର ବିଷୟ ନର୍ସିଂହୋମ୍‌ରୁ ଉଦ୍ଧାର ହୋଇଥିବା ରୋଗୀଙ୍କୁ ମେଡ଼ିକାଲ୍‌ ନେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଆମ୍ୱୁଲାନ୍ସ ଆସି ପାରିନଥିଲା। ଯେଉଁଥିପାଇଁ ରୋଗୀମାନେ ରାସ୍ତାରେ କଲବଲ ହୋଇଥିଲେ। ମୁହଁରେ ଲାଗିଥିଲା ଅକ୍ସିଜେନ୍‌ ପାଇପ୍‌ ଓ ହାତରେ ସାଲାଇନ୍‌ ଛୁଞ୍ଚି। ସେଇଥିରେ ରାସ୍ତାରେ ଗଡ଼ୁଥିଲେ ରୋଗୀ। ଦୀର୍ଘ ସମୟର ଅପେକ୍ଷା ପରେ ଗୋଟିଏ ପରେ ଗୋଟିଏ ଆମ୍ୱୁଲାନ୍ସ ଆସିଥିଲା। ଆଉ ତା’ପରେ ଉଦ୍ଧାର ହୋଇଥିବା ରୋଗୀଙ୍କୁ ଏସ୍‌ସିବି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। 

ଦୀର୍ଘ ସମୟର ଅପରେସନ୍‌ ପରେ ସମସ୍ତ ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ନିଆଁ ଆୟତ୍ତ କରାଯାଇଥିଲା। ଏନେଇ ଅଗ୍ନିଶମ ଡିଜି ସୁଧାଂଶ ଷଡଙ୍ଗୀ କହିଛନ୍ତି, ନିଆଁ ଆୟତ୍ତ ପାଇଁ ୩ ୟୁନିଟ ଫାୟାର ଟିମ୍‌ ନିୟୋଜିତ ହୋଇଥିଲେ। ନିଆଁ ଲିଭା ସାରିଛି। ଧୂଆଁ ନିଷ୍କାସନ କାମ ଶେଷ ହୋଇଛି। ଭେଣ୍ଟିଲେସନ ମେସିନ ଲଗାଯାଇ ଧୂଆଁ କଢ଼ାଯାଇଛି। ଆଇସିୟୁର ସମସ୍ତ ରୋଗୀଙ୍କୁ ଉଦ୍ଧାର କାମ ସରିଛି। ସମ୍ପୃକ୍ତ ହସ୍ପିଟାଲ୍‌ରେ ଫାୟାର ସେଫ୍ଟି ବ୍ୟବସ୍ଥା ଥିଲା। ବର୍ଷେ ତଳେ ଫାୟାର ସେଫ୍ଟି ରିନ୍ୟୁ କରାଯାଇଥିଲା ବୋଲି ଡିଜି କହିଛନ୍ତି।

ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ ହୋଇଥିଲା। ସ୍ୱାସ୍ଥ୍ୟ ସଚିବ, ଅଗ୍ନିଶମ ଡିଜି, ଜିଲ୍ଲାପାଳଙ୍କ ସହ କଥା ହୋଇଛି। ଭେଣ୍ଟିଲେଟରରେ ଥିବା ଶିଶୁମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବଡ଼ ମେଡିକାଲ, ଶିଶୁ ଭବନରେ ରୋଗୀଙ୍କୁ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି।

ତ୍ରୀଶା ନର୍ସିଂହୋମ୍‌ରେ ନିଆଁ ଲାଗିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସଚିବ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Cuttack Fire Breakout Odisha Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe