Advertisment

ଟ୍ରେନ ଦୁର୍ଘଟଣା: ଲାଇନଚ୍ୟୁତ ପୂର୍ବରୁ ବିସ୍ଫୋରଣ ଶବ୍ଦ ଶୁଣିଥିଲେ ଡ୍ରାଇଭର

ରେଳ ମନ୍ତ୍ରଣାଳୟ ପକ୍ଷରୁ ମୃତାହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ରାଶି ମିଳିବ।

author-image
Hemant Lenka
Train

Train

ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଆଜି ଉତ୍ତର ପ୍ରଦେଶର ଗୋଣ୍ଡାରେ ଲାଇନଚ୍ୟୁତ ହୋଇଛି। ଏହାର ୧୨ଟି ବଗି ଲାଇନଚ୍ୟୁତ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ଟ୍ରେନ ନମ୍ବର ୧୫୯୦୪ ଚଣ୍ଡିଗଡ଼ରୁ ଲୋକଙ୍କୁ ଧରି ଆସାମର ଦିବ୍ରୁଗଡ଼ ଯାଉଥିଲା। କିନ୍ତୁ ଦିନ ୨.୩୫ରେ ଉତ୍ତର ପ୍ରଦେଶର ଗୋଣ୍ଡା ଓ ଝିଲାହି ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନର ୧୨ଟି ବଗି ଝିଲାହି ଷ୍ଟେସନ ଠାରୁ ଅଳ୍ପଦୂରରେ ଥିବା ପିକାଉରା ଠାରେ ଓଲଟି ପଡ଼ିଥିଲା।

ଦୁର୍ଘଟଣାର କାରଣ ଖୋଜା ଚାଲିଥିବା ବେଳେ ଦିବ୍ରୁଗଡ଼ ଏକ୍ସପ୍ରେସରେ ଥିବା ଜଣେ ଲୋକ ପାଇଲଟ ସାଂଘାତିକ ବୟାନ ଦେଇଛନ୍ତି। ଟ୍ରେନ ଲାଇନଚ୍ୟୁତ ହେବା ପୂର୍ବରୁ ଡ୍ରାଇଭର ଜଣଙ୍କ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିଥିବା ଦାବି କରିଛନ୍ତି। ତେବେ ଏହା କେଉଁ ପ୍ରକାରର ବିସ୍ଫୋରଣ ସେ କଥାଏ ଏଯାଏ ଜଣାପଡ଼ିନି। ଏବେ ରେଳବାଇ ଓ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Advertisment

ଟ୍ରେନର ୧୨ ବଗି ଲାଇନଚ୍ୟୁତ ହୋଇଥିଲେ ହେଁ ଏହାର ଉଭୟ ଲୋକ ପାଇଲଟ ସୁରକ୍ଷିତ ରହିଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ ତ୍ରିଭୁବନ। ସେ କହିଛନ୍ତି ଯେ ଗୋଣ୍ଡା ନିକଟରେ ଟ୍ରେନ ଲାଇନଚ୍ୟୁତ ହେବା ପୂର୍ବରୁ ଜୋରରେ ବିସ୍ଫୋରଣ ଶବ୍ଦ ହୋଇଥିଲା।

ଏହାପରେ ଟ୍ରେନର ଗୋଟିଏ ପରେ ଗୋଟିଏ ବଗି ଲାଇନରୁ ବାହାରି ଯାଇଥିଲା। ଷ୍ଟେସନ ଠାରୁ ଅଳ୍ପ ଦୂରରେ ଟ୍ରେନଟି ଥିବାରୁ ଏହାର ବେଗ ଅଧିକ ନଥିଲା। ତେଣୁ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।

ତ୍ରିଭୁବନଙ୍କ ଏପରି ବୟାନ ପରେ ଅନ୍ତର୍ଗାତି କାର୍ଯ୍ୟର ଆଶଙ୍କା ପ୍ରକାଶ ପାଇଛି। ଏବେ ରେଳବାଇ ଉକ୍ତ ଦିଗରେ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ମୃତାହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ରାଶି ମିଳିବ। ସେହିପରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ମନ୍ତ୍ରଣାଳୟ କହିଛି।

Uttar Pradesh Train Accident