Ganjam
ଶ୍ୱଶୁର ଘରେ ପରିବାର ସହ ରହୁଥିଲେ ଡାକ୍ତର। ହେଲେ ରାତିରେ ଝୁଲି ପଡ଼ିଲେ! ଏପରି ଦୁଃଖଦ ଘଟଣା ବ୍ରହ୍ମପୁର ଟାଉନ୍ରେ ଘଟିଛି। ସରକାରୀ ମେଡ଼ିକାଲ୍ରେ ଚାକିରି କରୁଥିବା ବେଳେ ସେ କାହିଁକି ଝୁଲି ପଡ଼ିଲେ? ଏପରି ନାନା ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡର ସୁରେନ୍ଦ୍ରନାଥ ରଥ ପେଶାରେ ଜଣେ ଡାକ୍ତର। ସେ ହେଉଛନ୍ତି ମେଡିସିନ୍ ସ୍ପେଶାଲିଷ୍ଟ୍। ଡାକ୍ତର ରଥ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ଗତ କିଛି ଦିନ ହେବ ସେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଶକ୍ତି ନଗର ସ୍ଥିତ ଶ୍ୱଶୁର ଘରକୁ ଯିବା ଆସିବା କରୁଥିଲେ। ଏଠାରେ ସେ ରହୁଥିଲେ।
ଆଜି ସକାଳେ ଡାକ୍ତର ସୁରେନ୍ଦ୍ରନାଥ ରଥଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେ ବେକରେ ଶାଢ଼ୀ ଗୋଡ଼ାଇ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କଠାରୁ ଖବର ପାଖ ପୁଲିସ୍ ଶକ୍ତି ନଗରରେ ପହଞ୍ଚିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ପୁଲିସ୍। ହେଲେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।
ତେବେ ଏଠି ପ୍ରଶ୍ନ ଉଠୁଛି, ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତର କାହିଁକି ଆତ୍ମହତ୍ୟା କଲେ? ଏହା ହତ୍ୟା ନା ଆତ୍ମହତ୍ୟାର ରୂପ ଦିଆଯାଇଛି? ଯଦି ସେ ଆତ୍ମହତ୍ୟା କରିବାର ଥିଲା, ତାହାହେଲେ ଶ୍ୱଶୁର ଘରେ କାହିଁକି? ଏପରି ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ରିପୋର୍ଟ- ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
