Advertisment

ଝାରସୁଗୁଡ଼ାରେ ଡଙ୍ଗାବୁଡ଼ି ଘଟଣା: ୮ ଜଣଙ୍କ ମୃତ୍ୟୁ, ସମସ୍ତ ମୃତଦେହ ଉଦ୍ଧାର

ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ମୃତ ଶିଶୁମାନଙ୍କର ବୟସ ୨ରୁ ୭ ବର୍ଷ ମଧ୍ୟରେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Boat

Boat

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟରେ ମହାନଦୀରେ ଡଙ୍ଗା ବୁଡ଼ିବା ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ମୃତ ଶିଶୁମାନଙ୍କର ବୟସ ୨ରୁ ୭ ବର୍ଷ ମଧ୍ୟରେ।

Advertisment

ଶୁକ୍ରବାର (ଗତକାଲି) ଅପରାହ୍ନରେ ଘଟିଥିଲା ଏହି ଅଘଟଣ। ଛତିଶଗଡ଼ର ଖରସିଆ ଅଞ୍ଜିରପାଲି ଗାଁର ପ୍ରାୟ ୫୦ ଜଣ (ଛୋଟ ଛୁଆଙ୍କ ସମେତ) ବରଗନ ଜିଲ୍ଲା ପଥରସେନି ଦେବୀଙ୍କ ଦର୍ଶନ କରିବାକୁ ଆସିଥିଲେ। ଦର୍ଶନ ସାରି ଫେରୁଥିବା ବେଳେ ଶରଧା ନିକଟରେ ମହାନଦୀରେ ଓଲଟି ଥିଲା ସେମାନଙ୍କ ଡଙ୍ଗା।

ସ୍ଥାନୀୟ ମତ୍ସ୍ୟଜୀବୀମାନେ ୪୦ ଜଣଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରିଥିଲେ। ଫଳରେ ସେମାନେ ବଞ୍ଚି ଯାଇଥିଲେ। କିନ୍ତୁ ଆଉ ୮ ଜଣ ବୁଡ଼ି ଯାଇଥିଲେ। ଜଣଙ୍କ ମୃତଦେହ ଗତକାଲି ମିଳିଥିଲା। ରାତି ପ୍ରାୟ ଦେଢ଼ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ହେଁ କାହାକୁ ଉଦ୍ଧାର କରାଯାଇପାରି ନଥିଲା। ଆଜି ଭୋର ୫ଟାରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସକାଳେ ୬ ଜଣଙ୍କ ମୃତଦେହ ମିଳିଥିଲା। ପରେ ଅପରାହ୍ନ ପ୍ରାୟ ୨ଟା ବେଳେ ଶେଷ ମୃତଦେହ ମିଳିଥିଲା।

Advertisment

ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍ ସହ ଦମକଳ ବାହିନୀର ୪ ଟିମ୍ ଓ ୫ ଜଣ ସ୍କୁବା ଡ୍ରାଇଭର ସାମିଲ ହୋଇଥିଲେ। ଏହା ସହିତ ଏକ ସ୍ୱତନ୍ତ୍ର କ୍ୟାମେରା ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା। ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଜିଲ୍ଲାର ବହୁ ଅଧିକାରୀ ଗତକାଲି ଠାରୁ ଲଗାତର ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ।

ଡଙ୍ଗା ଚଲାଉଥିବା ଦୁଇ ଡଙ୍ଗା ଚାଳକଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି। ସେମାନେ ବେଆଇନ ଭାବେ ଡଙ୍ଗା ଚଲାଉଥିଲେ। ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ଲାଇଫ ଜ୍ୟାକେଟ ନଥିଲା। ଡଙ୍ଗାର ଅବସ୍ଥା ଭଲ ନଥିଲା। ପରିବହନ ବିଭାଗ ପକ୍ଷରୁ ଏହି ଡଙ୍ଗାକୁ ସମସ୍ତ ସୁରକ୍ଷା କବଚ ରଖି ୨୦ରୁ ଅଧିକ ଯାତ୍ରୀ ନ ନେବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଫଳରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Boat Accident Boat Capsizes