/odisha-reporter/media/post_attachments/uploadimage/library/16_9/16_9_0/IMAGE_1700569002.jpg)
Elephant Attack Place
କେନ୍ଦୁଝର ବନଖଣ୍ଡ ଭୂଇଁୟା ଜୁଆଙ୍ଗ ପିଢ଼ ବନାଞ୍ଚଳ ତରମାକାନ୍ତ ପଞ୍ଚାୟତ ଜଳଡ଼ିହା ଗାଁରେ ହାତୀ ଆକ୍ରମଣରେ ବାପଝିଅ ଆହତ ହୋଇଛନ୍ତି। ଝିଅର ଅବସ୍ଥା ଗୁରୁତର ରହିଛି।
ଆହତ ଦ୍ୱୟ ହେଉଛନ୍ତି ଜଳଡ଼ିହା ଗାଁ ମାଣିକସାହିର ପ୍ରଦୀପ ମୁଣ୍ଡା ଓ ତାଙ୍କ ୮ ବର୍ଷର ଝିଅ ରଶ୍ମିତା। ପ୍ରଦୀପ ଓ ତାଙ୍କ ଝିଅ ମାଣିକସାହି ପାଖ ରାଣୀମା ନାଳକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ସେମାନେ ସାଇକେଲ୍ରେ ଫେରୁଥିବା ବେଳେ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା।
ହାତୀର ଆକ୍ରମଣରେ ପ୍ରଦୀପ କିଛି ଦୂରକୁ ଛିଟିକି ପଡ଼ିଥିବା ବେଳେ ରଶ୍ମିତା ସାଇକେଲ୍ ସହିତ ପଡ଼ି ଯାଇଥିଲେ। ହାତୀ ସାଇକେଲ୍ଟିକୁ ଶୁଣ୍ଢରେ ଉଠାଇ ଫୋପାଡ଼ି ଦେଇଥିଲା। ତା’ପରେ ରଶ୍ମିତାଙ୍କୁ ଆକ୍ରମଣ କରିଥିଲା। ସେହି ସମୟରେ ଜୋରରେ ଚିତ୍କାର କରିଥିଲେ ପ୍ରଦୀପ। ହାତୀଟି ସେଠାରୁ ଚାଲି ଯାଇଥିଲା। ତେବେ ସେତେବେଳକୁ ରଶ୍ମିତା ଗୁରୁତର ଆହତ ହୋଇସାରିଥିଲେ। ଉଭୟଙ୍କୁ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରଶ୍ମିତାଙ୍କ ଡାହାଣ ହାତ ଓ ଗୋଡ଼ ଭାଙ୍ଗି ଯାଇଛି।
ତେଲକୋଇରୁ ଚିନ୍ମୟ କୁମାର ସାହୁଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
