Advertisment

ଯାତ୍ରା ଆରମ୍ଭ ହେବା ପୂର୍ବରୁ ଅଘଟଣ: ଭୁଶୁଡ଼ି ପଡ଼ିଲା ଏଣ୍ଟ୍ରି ଗେଟ୍‌, ୩୦ରୁ ଅଧିକ ଦର୍ଶକ ଆହତ

ଆହତଙ୍କ ମଧ୍ୟରେ ମହିଳା, ପୁରୁଷ, ବୟସ୍କ ଓ ଛୋଟ ପିଲା ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Gate

Gate

ଯାତ୍ରା ଆରମ୍ଭ ହେବା ପୂର୍ବରୁ ଘଟିଲା ଅଘଟଣ। ଭୁଶୁଡ଼ି ଗଲା ଲୁହାରେ ତିଆରି ଉଚ୍ଚ ଏଣ୍ଟ୍ରି ଗେଟ୍‌। ଗେଟ୍ ତଳେ ଚାପି ହୋଇ ଆହତ ହେଲେ ୩୦ରୁ ଅଧିକ ଦର୍ଶକ। ଗତକାଲି ରାତିରେ କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ାରେ ଘଟିଛି ଏହି ଘଟଣା।

Advertisment

ଆହତମାନଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି। ଆହତ ଓ ଗୁରୁତରମାନଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟାନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦ ଜଣ ଦର୍ଶକଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କ ଅବସ୍ଥା ସ୍ଥିର ଥିବାରୁ ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରି ଦିଆଯାଇଛି।

ରାଇସୁଙ୍ଗାଡ଼ା ଶନି ପଡିଆରେ ଗତ ଶୁକ୍ରବାର ଠାରୁ ରାଜାରାଣୀ ଯାତ୍ରା ପାର୍ଟି ଯାତ୍ରା ମଞ୍ଚସ୍ଥ କରୁଥିଲା। ଗତକାଲି ଅର୍ଥାତ୍ ଶନିବାର ରାତିରେ ଯାତ୍ରା ପରିବେଷଣ ପୂର୍ବରୁ ଘଟିଥିଲା ଅଘଟଣ। ଯାତ୍ରା ଦେଖିବାକୁ ଦର୍ଶକମାନଙ୍କ ଭିଡ଼ ଲାଗିଥିଲା। ଦର୍ଶକମାନେ ପ୍ରବେଶ କରୁଥିବା ବେଳେ ଲୁହାରେ ତିଆରି ଉଚ୍ଚ ଏଣ୍ଟ୍ରି ଗେଟ୍‌ଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ବହୁ ଦର୍ଶକ ତା’ ତଳେ ଚାପି ହୋଇଗଲେ।

Advertisment

ବହୁ ସଂଖ୍ୟକ ଦର୍ଶକ ଏକାସାଙ୍ଗରେ ଏଣ୍ଟ୍ରି ଗେଟ୍‌ରେ ପ୍ରବେଶ କରିବାରୁ ତାହା ଭାରସାମ୍ୟ ହରାଇ ଭୁଶୁଡ଼ି ପଡ଼ିଲା ବୋଲି କୁହାଯାଉଛି। ତେବେ ଏଣ୍ଟ୍ରି ଗେଟ୍‌ ଠିକ୍ ଭାବେ ରଖାଯାଇ ନଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏଣୁ ଏଣ୍ଟ୍ରି ଗେଟ୍ ଭୁଶୁଡ଼ିବାର କାରଣ ସ୍ପଷ୍ଟ ହୋଇପାରି ନାହିଁ। ତେବେ ଏହି ଅଘଟଣ ପରେ ଯାତ୍ରା ପରିବେଷଣକୁ ବନ୍ଦ କରି ଦିଆଯାଇଥିଲା। 

ଆଜି ସକାଳେ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହ। ନିଜଆଡୁ ମାମଲା କରି ଯାତ୍ରା ପାର୍ଟି ମ୍ୟାନେଜରଙ୍କୁ ଅଟକ ରଖିଛି ପୁଲିସ। ଯାତ୍ରା ମାଲିକଙ୍କ ଅଣଦେଖା ଓ ନିମ୍ନମାନର ଟେଣ୍ଟ କାମ ଯୋଗୁ ଏଭଳି ଏକ ଘଟଣା ଘଟିଥିବା କହିଛନ୍ତି କଟକ ଜିଲ୍ଲା ଯାତ୍ରା କମିଟି ସଂଘ ସମ୍ପାଦକ ମହେଶ୍ୱର ବେହେରା।