/odisha-reporter/media/post_attachments/uploadimage/library/16_9/16_9_0/IMAGE_1750856829.jpg)
Harekrushna and his son
ସାପ କାମୁଡ଼ି ଦେବାରୁ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ର ବାଘଡ଼ା ଅଞ୍ଚଳରେ ଘଟିଛି ଏହି ଘଟଣା।
ମୃତକ ଦ୍ୱୟ ହେଉଛନ୍ତି ହରେକୃଷ୍ଣ ମୁଖି (୩୫) ଓ ତାଙ୍କ ପୁଅ। ହରେକୃଷ୍ଣଙ୍କ ପୁଅକୁ ୫ ବର୍ଷ ହୋଇଥିଲା।
ବାଘଡା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ହରେକୃଷ୍ଣ। ଗତକାଲି ରାତିରେ ସେ ପୁଅ ସହିତ ଘରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ି ଦେଇଥିଲା।
ରାତି ଅଧରେ ହରେକୃଷ୍ଣଙ୍କ ପୁଅ ବାନ୍ତି କରିଥିଲେ। ତେଣୁ ତାଙ୍କୁ ବାରିପଦା ମେଡିକାଲ କଲେଜ ଓ ହସପିଟାଲ ନିଆଯାଇଥିଲା। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ପୁଅକୁ ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲ ନେଇଥିବା ହରେକୃଷ୍ଣ ସେଠାରେ ଅସୁସ୍ଥ ହୋଇପଡ଼ିଥିଲେ। କିଛି ସମୟ ମଧ୍ୟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ହରେକୃଷ୍ଣଙ୍କ ପୁଅ ବାନ୍ତି କରିବା ପରେ ଖଟ ତଳେ ପରିବାର ଲୋକେ ଏକ ବିଷାକ୍ତ ସାପକୁ ଦେଖିଥିଲେ। ତେଣୁ ପୁଅକୁ ସାପ କାମୁଡ଼ିଥିବ ବୋଲି ସନ୍ଦେହ କରି ସେମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଦିନକ ପୂର୍ବରୁ ସାପ କାମୁଡ଼ାରେ ଯାଇଥିଲା ଭାଇଭଉଣୀଙ୍କ ଜୀବନ
ସୋମବାର (୨୩ ଜୁନ୍) ବିଳମ୍ବିତ ରାତିରେ ବଲାଙ୍ଗିର ସହରର ମାଲଗୋଦାମ ପଡ଼ାରେ ବିଷାକ୍ତ ସାପ କାମୁଡ଼ାରେ ଚାଲିଯାଇଥିଲା ଭାଇଭଉଣୀଙ୍କ ଜୀବନ। ରାତିରେ ଶୋଇଥିବା ସମୟରେ ସାତ ବର୍ଷର ଦୁଃଖିଶ୍ୟାମ ନାଗ ଓ ଚାରି ବର୍ଷର ମେହେକ ନାଗଙ୍କୁ ବିଷାକ୍ତ ସାପ କାମୁଡି ଦେଇଥିଲା। ପରିବାର ଲୋକେ ସାପକୁ ଦେଖିଥିଲେ। କିନ୍ତୁ ଦୁଇ ଭାଇ ଭଉଣୀ ସାପ କାମୁଡ଼ିନାହିଁ ବୋଲି କହିଥିଲେ ପରିବାର ଲୋକଙ୍କୁ। କିନ୍ତୁ କିଛି ସମୟ ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସେମାନଙ୍କୁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
