ତାମିଲନାଡୁ ମଦୁରାଇ ଷ୍ଟେସନ ନିକଟରେ ଆଜି ଭୋରରୁ ଏକ ଟ୍ରେନ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୯ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। କିଛି ଯାତ୍ରୀ ଟ୍ରେନ୍ରେ ଅବୈଧ ଭାବେ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିବା ବେଳେ ତାହା ଫାଟି ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି।
ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ତାମିଲନାଡ଼ୁର ରାମେଶ୍ୱରମ ଯାଉଥିବା ଟ୍ରେନ୍ଟଇ ଆଜି ସକାଳେ ତାମିଲନାଡ଼ୁର ମଦୁରାଇ ଷ୍ଟେଶନର ଜଙ୍କସନ୍ରେ ଅଟକିଥିଲା। ସେଠାରେ ପ୍ରାୟ ଭୋର ୫ଟା୧୫ରେ ଟ୍ରେନ୍ରେ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ଟ୍ରେନ୍ର ଗୋଟିଏ ବଗିକୁ ମାଡ଼ି ଯାଇଥିଲା। ଫଳରେ ଉକ୍ତ ବଗିରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ଆକୁଳ ଚିତ୍କାର କରୁଥିଲେ।
ଖବର ପାଇ ଦମକଳ ବାହିନୀ ପ୍ରାୟ ୫ଟା ୪୫ ମିନିଟ୍ରେ ଷ୍ଟେଶନରେ ପହଞ୍ଚିଥିଲେ। ଏହାପରେ ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବହୁ ଯାତ୍ରୀ ପ୍ରାଣ ବିକଳରେ ଟ୍ରେନ୍ରୁ ଡେଇଁ ନିଜ ଜୀବନ ରକ୍ଷା କରି ପାରିଛନ୍ତି।
ଟ୍ରେନ୍ରେ କିଛି ଯାତ୍ରୀ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିବା ବେଳେ କୌଣସି କାରଣରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଥିବା ରେଳୱେ ଅଧିକାରୀ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।