ପଶ୍ଚିମବଙ୍ଗରେ ସକାଳୁ ସକାଳୁ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ଏକ ଖାଇବା ତେଲ ଗୋଦାମରେ ନିଆଁ ଲାଗି ଯିବାରୁ ତାହା ହୁତୁହୁତୁ ହୋଇ ଜଳିବାକୁ ଲାଗିଛି । ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୀର୍ଘ ଘଣ୍ଟାର ପରିଶ୍ରମ କରିବା ସତ୍ତ୍ୱେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇ ନ ଥିବା ଜଣାଯାଇଛି।
ହାଓଡ଼ା ଜିଲ୍ଲାର ଇଣ୍ଡଷ୍ଟ୍ରିଆଲ ପାର୍କରେ ଥିବା ଏକ ତେଲ ଗୋଦାମରେ ଆଜି ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା। ଉକ୍ତ ସମୟରେ ଗୋଦାମରେ ଥିବା ଦୁଇ ସିକ୍ୟୁରିଟି ଗାର୍ଡ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ।
ସେମାନେ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପ୍ରଥମେ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ତାହା ଆୟତ୍ତକୁ ଆସି ନ ଥିଲା। ଏହାପରେ ଗାଡ଼ି ସଂଖ୍ୟା ବଢ଼ାଯାଇଛି।
ଆଖାପାଖରେ ଆହୁରି ବହୁ ଇଣ୍ଡଷ୍ଟ୍ରି ଓ ଗୋଦାମ ଥିବାରୁ ନିଆଁ ସେଥିକୁ ଯେପରି ନ ବ୍ୟାପେ ସେଥିପ୍ରତି ଅଗ୍ନିଶମ କର୍ମଚାରୀ ଯତ୍ନବାନ ଥିବା କହିଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ତେବେ ଗୋଦାମରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଛାରଖାର ହୋଇ ଯାଇଥିବା ଜଣାଯାଇଛି।