/odisha-reporter/media/media_files/2026/01/31/accident-b-2026-01-31-15-27-13.jpg)
ଟ୍ରକ୍ ତଳେ ଫସି ରହିଛି ବାଇକ
ବ୍ରହ୍ମପୁରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ହଳଦିଆପଦର ଓଭର ବ୍ରିଜ୍ ଉପରେ ଏକ ଟ୍ରକ୍ ୩ଟି ବାଇକ୍କୁ ଧକ୍କା ଦେବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ମୃତକମାନେ ହେଉଛନ୍ତି ରାକେଶ ନାୟକ, ଜଗନ ନାହକ,ସୂର୍ଯ୍ୟ ନାରାୟଣ ପଣ୍ଡା, ଶିବରାମ ଜେନା ଓ ସତ୍ୟ ନାରାୟଣ ବେଜ। ରାକେଶ ଓ ଜଗନଙ୍କ ଘର ଫୁଲଟା ଗାଁରେ ହୋଇଥିବା ବେଳେ ସୂର୍ଯ୍ୟ ନାରାୟଣ ପଣ୍ଡା ବ୍ରହ୍ମପୁର ସହରର ଅଯୋଧ୍ୟା ନଗରର ବାସିନ୍ଦା ଥିଲେ। ଶିବରାମ ଜେନାଙ୍କ ଘର ଦକ୍ଷିଣପୁର ଗାଁରେ ହୋଇଥିବା ବେଳେ ସତ୍ୟ ନାରାୟଣ ବେଜଙ୍କ ଗାଁ ନାଁ ଅସ୍ପଷ୍ଟ ରହିଛି।
ଓଭରବ୍ରିଜ୍ ଉପରେ ରଙ୍ଗ୍ ରୁଟ୍ରେ ଆସି ଟ୍ରକ୍ଟି ବାଇକ୍ଗୁଡ଼ିକ ଧକ୍କା ଦେଇଥିଲା। ଏମିତି ଧକ୍କା ଦେବା ପରେ କିଛି ବାଟ ପର୍ଯ୍ୟନ୍ତ ବାଇକଗୁଡ଼ିକୁ ଘୋଷାଡ଼ି ନେଇଥିଲା ଟ୍ରକ୍ଟି। ଗୋଟିଏ ବାଇକ ଟ୍ରକ୍ରେ ତଳେ ଫସି ଯାଇଥିଲା।
ଟ୍ରକ୍ ଧକ୍କା ଦେବା ପରେ ବାଇକ୍ରେ ଥିବା ଲୋକେ ରାସ୍ତାରେ ଏଣେତେଣେ ପଡ଼ିଥିଲେ। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜ ଓ ହସପିଟାଲରେ ମୃତ ଘୋଷଣା କରାଯାଇଥିଲା। ୬ ଜଣ ଗୁରୁତର ଆହତ ହୋଇ ଏମ୍କେସିଜିରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ହଳଦିଆପଦର ଓଭର ବ୍ରିଜ୍ ଉପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମୃତଦେହଗୁଡ଼ିକ ଏଣେତେଣ ପଡ଼ି ରହିଥିଲା। ମୃତାହତମାନେ ସାଙ୍ଗରେ ନେଇ ଯାଉଥିବା ଜିନିଷପତ୍ର ମଧ୍ୟ ରାସ୍ତା ଉପରେ ପଡ଼ିଥିଲା। ପୁଲିସ ଓ ଅଗ୍ନିଶବ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ସେହିପରି ମୃତଦେହଗୁଡ଼ିକୁ ଜବତ କରିଥିଲା ପୁଲିସ।
ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ୩ଟି ବାଇକ୍କୁ ପୁଲିସ ଜବତ କରିଛି। ଟ୍ରକ୍ ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଛି। ତାଙ୍କୁ ପଚରାଉଚରା କଲା ପରେ ଜଣାପଡ଼ିବ ଯେ କେମିତି ଏହି ଦୁର୍ଘଟଣା ଘଟିଲା। ଗାଡ଼ି ଚଲାଇଲା ବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲେ ନା ନାହିଁ, ତାହା ଯାଞ୍ଚ କରାଯିବ ବୋଲି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର କହିଛନ୍ତି।
/filters:format(webp)/odisha-reporter/media/media_files/2026/01/31/truck-2026-01-31-15-28-38.jpg)
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସହିତ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଲୋକଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
