ଝାରସୁଗୁଡ଼ା ସଦର ଥାନା ପାଖରେ ଆଜି ଭୋରରେ ଏକ ଟିପର ଓ ପୁଲିସ୍ର ଏକ ବୋଲେରୋ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଆଉ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ମୃତ ପୁଲିସ କର୍ମଚାରୀମାନେ ହେଉଛନ୍ତି, କାଶୀରାମ ଭୋଇ, ନିରଞ୍ଜନ କୁଜୁର,ଦେବଦତ୍ତ ସା, ଲିଙ୍ଗରାଜ ଧୂରୁଆ, ଓ ଭକ୍ତବନ୍ଧୁ ମିର୍ଦ୍ଧା। ନିରଞ୍ଜନ କୁଜୁର ଡ୍ରିଲ୍ ସବ୍-ଇନ୍ସପେକ୍ଟର ଥିଲେ। ଲିଙ୍ଗରାଜ ଧୁରୁଆ ଏପିଆର ହାବିଲଦାର ଥିବା ବେଳେ ଦେବଦତ୍ତ ସା ଓ କାଶୀରାମ ଭୋଇ ଏପିଆର କନଷ୍ଟେବଳ ଥିଲେ। ସେହିପରି ମୃତ ଭକ୍ତବନ୍ଧୁ ମିର୍ଦ୍ଧା ହୋମ୍ଗାର୍ଡ ଥିଲେ। ଏପିଆର କନଷ୍ଟେବଳ ଯୁବରାଜ ମେହେର ଓ ଆକାଶ ନାଏକଙ୍କ ସହିତ ସରଜେଣ୍ଟ ରାଜୀବ ଭୋସାଗର ଆହତ ହୋଇଛନ୍ତି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୁଲିସ୍ର ବୋଲେରୋ ଚୁରମାର ହୋଇଯାଇଥିଲା। ଚିପ୍ସ ବୋଝେଇ ଟିପରଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ୫ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଓ ପୁଲିସ୍ ସମସ୍ତଙ୍କୁ ଗାଡ଼ିରୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ୫ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।
ସରଜେଣ୍ଟ ରାଜୀବ ଭୋସାଗର ଓ ଏପିଆର କନଷ୍ଟେବଳ ଯୁବରାଜ ମେହେରଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏପିଆର କନଷ୍ଟେବଳ ଆକାଶ ନାଏକଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଖବର ଜଣାପଡ଼ିବା ପରେ ସମସ୍ତ ପୁଲିସ ବିଭାଗରେ ତଥା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଜିଲ୍ଲା ପୁଲିସର ଉଚ୍ଚ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଡାକ୍ତରଖାନା ଯାଇ ଆହତମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି।
ପୁଲିସ୍ ଟିପର ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟିପରଟି ଦ୍ରୁତଗତିରେ ଯାଉଥିଲା ବୋଲି ଜଣାପଡ଼ିଛି।
ଏହି ଘଟଣାକୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଝାରସୁଗୁଡ଼ାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୁଲି କର୍ମଚାରୀଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟମାନଙ୍କର ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।
ମୃତ ୫ ପୁଲିସ କର୍ମଚାରୀଙ୍କ ପରିବାର ପାଇଁ ଅନୁକଂପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକଂପା ରାଶି ପ୍ରଦାନ କରାଯିବ।
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଝାରସୁଗୁଡ଼ାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣାରେ ଏକାଧିକ ପୁଲିସ କର୍ମଚାରୀ ମୃତାହତ ହୋଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ । ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/22/taccident-2026-02-22-11-32-45.jpg)