Advertisment

ହାତୀ ହାବୁଡ଼ରେ ପଡ଼ିଗଲେ ଫରେଷ୍ଟର ଓ ବନ କର୍ମଚାରୀ, ଅବସ୍ଥା ଗୁରୁତର

ଏକ ଶାବକ ହାତୀ ଧାନ ଖାଇବାକୁ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା । ଛୁଆ ହାତୀକୁ ଘଉଡାଇବାକୁ ବନ କର୍ମଚାରୀ ବି ଉକ୍ତ ଘର ଭିତରେ ପଶି ଯାଇଥିଲେ।

author-image
Niharika Rout
Hospital

Hospital

ହାତୀ ଘଉଡ଼ାଇବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ଫରେଷ୍ଟର ଓ ଜଣେ ବନ କର୍ମଚାରୀ। ହାତୀ ଉଭୟଙ୍କୁ ଟେକି କଚାଡ଼ି ଦେବାରୁ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜରେ ଘଟିଛି। ଗୁରୁତରଦ୍ୱୟ ହେଲେ ଫରେଷ୍ଟର ପ୍ରଦୀପ ଦେହୁରୀ ଏବଂ ଠିକା କମଚାରୀ ଜତିନ କିସ୍କୁ।

Advertisment

ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜ ର ମେରଦା ବେଣାପୁରା ଗାଁ ଭିତରକୁ ଗତ କାଲି ରାତିରେ ଏକ ହାତୀ ପଲ ପଶି ଆସିଥିଲେ। ହାତୀ ପଲରେ ପାଞ୍ଚ ହାତୀ ରହିଥିଲେ। ସେମାନଙ୍କ ମଧ୍ୟରୁ ଏକ ଶାବକ ହାତୀ ଧାନ ଖାଇବାକୁ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା । ଛୁଆ ହାତୀକୁ ଘଉଡାଇବାକୁ ବନ କର୍ମଚାରୀ ବି ଉକ୍ତ ଘର ଭିତରେ ପଶି ଯାଇଥିଲେ।

ମାତ୍ର ସେଠାରେ ଏକ ମାଇ ହାତୀ ଉପସ୍ଥିତ ଥିବା ସେମାନେ ଜାଣି ପାରି ନ ଥିଲେ। ହାତୀକୁ ଦେଖି ବନ କର୍ମଚାରୀ ଛତ୍ରଭଙ୍ଗ ଦେଇଥିବା ବେଳେ ଫରେଷ୍ଟର ଏବଂ ଜଣେ ଠିକା କମଚାରୀ କିନ୍ତୁ ତା’ ହାବୁଡ଼ରେ ପଡିଯାଇଥିଲେ । ହାତୀ ଉଭୟଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଫଳରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ। ସେଠାରେ ଉପସ୍ଥିତ ଅନ୍ୟ ସାଥି କର୍ମଚାରୀ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ।

Advertisment

ଫରେଷ୍ଟରଙ୍କ ଛାତି ପଞ୍ଜରା ହାଡ ଭାଙ୍ଗି ଯାଇଥିବା ବେଳେ ଉତ୍ତମ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଠିକା କମଚାରୀ ଜତିନ କିସ୍କୁ ବାରିପଦାରେ ଚିକିତ୍ସିତ ହେଉଛନ୍ତି।

ଖବର ପାଇ ବାରିପଦା ଡିଏଫଓ ସନ୍ତଷ କୁମାର ଯୋଶୀ ବାରିପଦା ମେଡିକାଲରେ ପହଞ୍ଚି ଗୁରୁତରଦ୍ୱୟଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏଥିସହ ହାତୀ ଘଉଡ଼ାଇବା ଏବେ ଚ୍ୟାଲେଞ୍ଜ ପାଲଟି ଯାଇଥିବା ବେଳେ ଏଥିନିମନ୍ତେ କର୍ମଚାରୀଙ୍କୁ ଅଧିକ ଦକ୍ଷ କରାଯିବ ଓ ତାଲିମ ଦିଆଯିବ ବୋଲି ସୂଚନା ଦେଇଛନ୍ତି।

Elephant Attack Baripada