Advertisment

ପାଇଖାନା ଟାଙ୍କିରେ ଚାଲିଗଲା ୪ ଜୀବନ

ଏନ୍‌ ସନ୍ତୁ, ଅମୀୟ ଖରା, ଲାଲୁ ରଣା ଓ ତ୍ରିଲୋଚନ ଭତରାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Under Construction Septic Tank

Under Construction Septic Tank

Advertisment

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ନିର୍ମାଣାଧୀନ ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଶ୍ଵାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି- ଏନ୍‌ ସନ୍ତୁ, ଅମୀୟ ଖରା, ତ୍ରିଲୋଚନ ଭତରା ଓ ଲାଲୁ ରଣା। ସମସ୍ତ ମୃତକଙ୍କ ବୟସ ୨୫ରୁ ୩୦ ବର୍ଷ ଭିତରେ।

Advertisment

ପଡ଼ାଲଗୁଡ଼ା ଗାଁର ମୋହନ ନାଗ ତାଙ୍କ ଘରେ ଏକ ପାଇଖାନା ନିର୍ମାଣ କରୁଛନ୍ତି। ଏହି ନିର୍ମାଣାଧୀନ ପାଇଖାନାର ଟାଙ୍କିର ଫଲ୍‌ସ କାଢ଼ିବା ପାଇଁ ଆଜି ଦିନ ପ୍ରାୟ ୧୦ଟା ବେଳେ ଦୁଇ ଜଣେ ଶ୍ରମିକ- ତ୍ରିଲୋଚନ ଭତରା ଓ ଲାଲୁ ରଣା ପାଇଖାନ ଟାଙ୍କିରେ ପ୍ରବେଶ କରିଥିଲେ। କିନ୍ତୁ ସେମାନେ ସେଠାରେ ଅଚେତ ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗାଁର ଦୁଇ ଯୁବକ- ଏନ୍ ସନ୍ତୁ ଓ ଅମୀୟ ଖରା ଟାଙ୍କି ଭିତରକୁ ଯାଇଥିଲେ। କିନ୍ତୁ ସେମାନେ ବି ଅଚେତ ହୋଇଯାଇଥିଲେ। ଏହା ପରେ ପୁଲିସ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପାଇଖାନା ଟାଙ୍କିରୁ ସେମାନଙ୍କୁ ବାହାର କରିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Advertisment

ପ୍ରାଥମିକ ରିପୋର୍ଟ ଅନୁସାରେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ଡାକ୍ତର କହିଛନ୍ତି।

ମୃତ ଅମୀୟ ଖରାଙ୍କ ସଂପର୍କୀୟ ସୁମିକା ଖରା କହିଛନ୍ତି ଯେ ସେ (ଅମୀୟ ଖରା) ସେଠାକୁ କାମ କରିବାକୁ ଯାଇ ନଥିଲେ। ସେ ରାସ୍ତା କଡ଼ରେ ବସିଥିଲେ। ପାଇଖାନା ଟାଙ୍କିରେ ଦୁଇ ଜଣ ଅଚେତ ହେବା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅମୀୟ ଖରାଙ୍କୁ ଡକା ଯାଇଥିଲା। ଯିଏ ତାଙ୍କୁ ଡାକି ନେଇଥିଲେ, ସେ ଏବେ ତାଙ୍କ ପରିବାର କଥା ବୁଝୁ। ଅମୀୟ କୁଲିମଜୁରୀ କରି ଚଳୁଥିଲେ। ତାଙ୍କର ଦୁଇଟି ଛୁଆ ଅଛନ୍ତି। ଏବେ ସେମାନଙ୍କର କ’ଣ ହେବ। ସେଥିପାଇଁ ଯିଏ ତାଙ୍କୁ ଡାକି ନେଇଥିଲା, ସେ ସେମାନଙ୍କ କଥା ବୁଝୁ। ସେହିଭଳି ପୁଲିସ ତାଙ୍କୁ ଗିରଫ ମଧ୍ୟ କରୁ ବୋଲି ସୁମିକା ଖରା ଦାବି କରିଛନ୍ତି।

ଏନ୍‌ ସନ୍ତୁ, ଅମୀୟ ଖରା, ଲାଲୁ ରଣା ଓ ତ୍ରିଲୋଚନ ଭତରାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe