Advertisment

ରାସ୍ତା ମଝିରେ ଚଳନ୍ତା ବସ୍‌ ଡ୍ରାଇଭରଙ୍କୁ ହୃଦଘାତ; ଅଳ୍ପକେ ବର୍ତ୍ତିଗଲେ ୫୦ ପର୍ଯ୍ୟଟକ

ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ କୋଲକତାରୁ ପ୍ରାୟ ୫୦ ପର୍ଯ୍ୟଟକ ଏକ ବସ୍‌ରେ ଆସିଥିଲେ। ବସ୍‌ଟି ଆଜି ଭୋରରୁ ନୀଳଗିରିରେ ପ୍ରବେଶ କରିଥିଲା।

author-image
Niharika Rout
Bus

Bus

ରାସ୍ତା ଉପରେ ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍‌ ହୃଦଘାତର ଶିକାର ହେଲେ ଡ୍ରାଇଭର । ମାତ୍ର ହୃଦଘାତରେ ଆଖି ବୁଜିବା ପୂର୍ବରୁ ଡ୍ରାଇଭରଜଣକ ବସ୍‌ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଲେ। ଛାତି ଯନ୍ତ୍ରଣାରେ ଛଟପଟ ହେଉଥିବା ଡ୍ରାଇଭରଜଣକ ବସ୍‌ଟିକୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କରି ରାସ୍ତା ଉପରେ ଛିଡ଼ା କରାଇ ଦେଲେ। ଏହାପରେ ସେ ଆଖି ବୁଜିଦେଲେ। ଏପରି ଏକ ଲୋମଟାଙ୍କୁରା ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଘଟିଛି।

Advertisment

ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ କୋଲକତାରୁ ପ୍ରାୟ ୫୦ ପର୍ଯ୍ୟଟକ ଏକ ବସ୍‌ରେ ଆସିଥିଲେ। ବସ୍‌ଟି ଆଜି ଭୋରରୁ ନୀଳଗିରିରେ ପ୍ରବେଶ କରିଥିଲା। ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତା ପାଟପୁର ଛକ ନିକଟରେ ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍‌ ଡ୍ରାଇଭରଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାସତ୍ତ୍ୱେ ସେ ଗାଡ଼ିଟିକୁ ନିୟନ୍ତ୍ରଣକୁ ଆଣି ସୁରକ୍ଷିତ ଭାବେ ଛିଡ଼ା କରାଇଥିଲେ। ଏହାପରେ ସେ ନିଜ ସିଟ୍‌ରେ ହିଁ ଟଳି ପଡ଼ିଥିଲେ।

ଏହାଦେଖି ବସ୍‌ରେ ଥିବା ପର୍ଯ୍ୟଟକ ଆଖପାଖ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ। ସ୍ଥାନୀୟ ଯୁବକ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଅଚେତ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଅପରପକ୍ଷେ, ଡ୍ରାଇଭରଙ୍କ ଏପରି ଅଚାନକ ମୃତ୍ୟୁ ଯୋଗୁ ପର୍ଯ୍ୟଟକ ରାସ୍ତା ଉପରେ ଛିଡ଼ା ହୋଇ ରହିଥିଲେ। ଏହାଦେଖି ସ୍ଥାନୀୟ ଯୁବକ ବସ୍‌ଟିକୁ ଚଳାଇ ପର୍ଯ୍ୟଟକଙ୍କୁ ପଞ୍ଚଲିଙ୍ଗେଶ୍ୱର ପାନ୍ଥ ନିବାସ ଯାଏ ପହଞ୍ଚାଇଥିବା ଜଣାଯାଇଛି।

ଡ୍ରାଇଭରଙ୍କ ମୃତ୍ୟୁ ସମ୍ପର୍କରେ ବସ୍‌ ମାଲିକଙ୍କୁ ଜଣାଇ ଦିଆଯାଇଥିବା ବେଳେ ସେ ଆଉ ଜଣେ ଡ୍ରାଇଭରଙ୍କୁ ପଠାଇବା ବ୍ୟବସ୍ଥା କରୁଥିବା ପର୍ଯ୍ୟଟକମାନେ କହିଛନ୍ତି। ସ୍ଥାନୀୟ ଯୁବକଙ୍କ ସାହାଯ୍ୟ ଯୋଗୁ ବେଶ୍‌ ଖୁସି ଥିବା ପର୍ଯ୍ୟଟକ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ପଞ୍ଚଲିଙ୍ଗେଶ୍ୱର ବୁଲିବା ପରେ ସେମାନେ ପୁରୀ ଯିବେ ଓ ସେଠାରୁ ହାଓଡା ଯିବେ ବୋଲି ସୂଚନା ଦେଇଛନ୍ତି।

Balasore Heart Attack