Advertisment

ଦାରିଦ୍ର୍ୟର ଦାରୁଣ ଚିତ୍ର; ସ୍ୱାମୀଙ୍କ ମୃତଦେହ ନେଇପାରିଲେନି ସ୍ତ୍ରୀ

ବାଲମତୀଙ୍କ ପାରିବାରିକ ଆର୍ଥିକ ସ୍ଥିତି ଭଲ ନାହିଁ ବୋଲି ଜାଣିବାକୁ ପାଇଥିଲେ ମହିଦଲପୁର ଥାନା ଅଧିକାରୀ ନଟବର ନନ୍ଦ। ସେ ନିଜ ହାତରୁ ୨୦୦୦ ଟଙ୍କା ଦେଇ ଗୋଟିଏ ଗାଡ଼ି ପଠାଇଥିଲେ। ସେହି ଗାଡ଼ିରେ ବାଲମତୀ ଆସିଲେ। ଆଉ ନିଜ ସ୍ୱାମୀଙ୍କ ମୃତଦେହ ନେଇଗଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Kalahindi

Kalahindi

ଦାରିଦ୍ର୍ୟର ଦାରୁଣ ଚିତ୍ର। ଘରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଏପରି ସ୍ଥିତି ସ୍ୱାମୀଙ୍କ ମୃତଦେହକୁ ଗାଁକୁ କେମିତି ନେବେ? ତେଣୁ ନିଜ ଛାତିରେ ପଥର ରଖି ଜୀବନ ସାଥୀଙ୍କ ପାଇଁ ନେଲେ ବଡ଼ ନିଷ୍ପତ୍ତି। ମୃତଦେହକୁ ଜଙ୍ଗଲରେ ପୋତି ଦେବା ପାଇଁ ଛଳଛଳ ଆଖିରେ କହିଥିଲେ ପତ୍ନୀ। ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ।

Advertisment

କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଗତମୁଣ୍ଡା ଗାଁର ଅଭିରାମ ଧାରୁଆ ଗତ ୫ ବର୍ଷ ହେଲା ପଡୋଶୀ ରାଜ୍ୟ ଛତିଶଗଡ଼ର ରାୟପୁର ସହରରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ସେ ସେଠାରେ ରହୁଥିଲେ। କିଛି ଦିନ ତଳେ ଅଭିରାମ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତାଙ୍କର ଦୁଇ ସାଙ୍ଗମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଗତ ୫ ତାରିଖରେ ଅଭିରାମଙ୍କୁ ତାଙ୍କ ଘର ଗତମୁଣ୍ଡାକୁ ନେଇଥିଲେ ତାଙ୍କର ଦୁଇ ସାଙ୍ଗ। ହେଲେ ଅଧା ରାସ୍ତାରେ ଅଭିରାମଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ସେମାନେ ଅଭିରାମଙ୍କ ପତ୍ନୀ ବାଲମତୀ ଧାରୁଆଙ୍କୁ ଫୋନ୍‌ରେ ଜଣାଇଥିଲେ। ଗରିବୀରେ ପେଶି ହେଉଥିବା ବାଲମତୀ ଧାରୁଆ ଅସହାୟତା ପ୍ରକାଶ କରିଥିଲେ। ପାଖରେ ଚାରଣୀଟିଏ ନଥିବାରୁ ଗାଁକୁ ସ୍ୱାମୀଙ୍କ ମୃତଦେହ ନେଇପାରିବେ ନାହିଁ ବୋଲି କହିଥିଲେ। ତେଣୁ ଜଙ୍ଗଲରେ ପୋତି ଦେବା ପାଇଁ ଛଳ ଛଳ ଆଖିରେ କହିଥିଲେ ବାଲମତୀ। ଏହା ପରେ ଅଭିରାମଙ୍କ ମୃତଦେହକୁ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଗୁଜମାପଦର ଜଙ୍ଗଲରେ ଗାତ ଖୋଳି ପୋତି ଦେଇଥିଲେ।

କିଛି ଦିନ ତଳେ ଗୁଜମାପଦର ଜଙ୍ଗଲକୁ ସ୍ଥାନୀୟ ଲୋକ ଛତୁ ତୋଳିବା ପାଇଁ ଯାଇଥିଲେ। ସେହି ସମୟରେ ଦର ପୋତା ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ମୃତଦେହ ପାଖରେ ଗୋଟିଏ ବ୍ୟାଗ ଉଦ୍ଧାର କହିଥିଲା ପୁଲିସ୍‌। ସେଥିରେ ଅଭିରାମଙ୍କ ଆଧାରକାର୍ଡ଼ ଓ ପ୍ରେସ୍‌କ୍ରିପ୍‌ସନ୍‌ ଥିଲା। ଅଭିରାମଙ୍କ ପରିଚୟ ମିଳିବା ପରେ ପୁଲିସ୍‌ ତତ୍ପର ହୋଇଥିଲା। ଅଭିରାମଙ୍କ ପତ୍ନୀ ବାଲମତୀଙ୍କ ସହିତ ଯୋଗାଯୋଗ କରିଥିଲା। ସେହି ସମୟରେ ସେ ପୂରା ଘଟଣା କହିଥିଲେ। ଖାଇବା ପାଇଁ ଦୁଇ ଓଳିରେ ଦୁଇ ମୁଠା ପାଉନାହିଁ। ଏପରି ସ୍ଥିତିରେ ସ୍ୱାମୀଙ୍କ ମୃତଦେହ କେମିତି ଆଣିବା ପାଇଁ ଯିବି ବୋଲି କହିଥିଲେ ବାଲମତୀ।

Advertisment

ବାଲମତୀଙ୍କ ପାରିବାରିକ ଆର୍ଥିକ ସ୍ଥିତି ଭଲ ନାହିଁ ବୋଲି ଜାଣିବାକୁ ପାଇଥିଲେ ମୈଦଲପୁର ଥାନା ଅଧିକାରୀ ନଟବର ନନ୍ଦ। ସେ ନିଜ ହାତରୁ ୨୦୦୦ ଟଙ୍କା ଦେଇ ଗୋଟିଏ ଗାଡ଼ି ପଠାଇଥିଲେ। ସେହି ଗାଡ଼ିରେ ବାଲମତୀ ଆସିଲେ। ଆଉ ନିଜ ସ୍ୱାମୀଙ୍କ ମୃତଦେହ ନେଇଗଲେ।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Kalahandi Nabarangpur