Advertisment

ଗାଁକୁ ଫେରିଲା ପତ୍ନୀଙ୍କ ମୃତଦେହ; ସ୍ୱାମୀଙ୍କୁ ନେଇଗଲେ ଦାଦନ ସର୍ଦ୍ଦାର!

ମେଡ଼ିକାଲ୍‌ରେ ଚିକିତ୍ସା ଚାଲିଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ଧନିଦାସ ମାଝୀ। ତା’ପରଠାରୁ ତାଙ୍କର ପତ୍ତା ମିଳୁନି। ଧନିଦାସ ମାଝୀଙ୍କୁ ଦଲାଲ ମେଡ଼ିକାଲ୍‌ରୁ ମେଡ଼ିକାଲ୍‌ରୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।

Patnagarh

Patnagarh

Advertisment

ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସ୍ୱାମୀ-ସ୍ତ୍ରୀ ଦାଦନ ଖଟିବାକୁ ଯାଇଥିଲେ। ହେଲେ ଅଧା ବାଟରେ ଧୋକା ଦେଲା ଭାଗ୍ୟ! ଟ୍ରେନ୍‌ ଧକ୍କାରେ ଚାଲିଗଲେ ପତ୍ନୀ। ଆଉ ଗୁରୁତର ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଉଭାନ ହୋଇଗଲେ ପତି। ଦାଦନ ସର୍ଦ୍ଦାର ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହେଉଛି। ଏପରି ଦୁଃଖଦ ଖବର ବଲାଙ୍ଗିରରୁ ଆସିଛି। ଆଜି ଗାଁରେ ପହଞ୍ଚିଛି ମହିଳାଙ୍କ ମୃତଦେହ।

Advertisment

ବେଲପଡା ଥାନା ଭାଲୁବାହାଲି ଗାଁର ଧନିଦାସ ମାଝୀ ବହୁତ ଗରିବ। କାମଦାମ କରି ଚଳୁଥିଲେ। ହେଲେ ପେଟ ପୂରୁନଥିଲା। ୩ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଦାଦନ ସର୍ଦ୍ଦାର ଦଶରଥ ବାଗଙ୍କ କଥାରେ ପଡ଼ି ଧନିଦାସ ମାଝୀ, ପତ୍ନୀ ଲିଜା ମାଝୀ ଓ ଗାଁର କିଛି ଲୋକ ଦାଦନ ଖଟିବା ପାଇଁ ଗତ ରବିବାର ହାଇଦ୍ରାବାଦ ଯାଉଥିଲେ। ସମସ୍ତେ ଟ୍ରେନ୍‌ରେ ଯାଉଥିଲେ। କୁହାଉଛି, ଦାଦନ ଦଲାଲ ଜଣକା ୫୦ ହଜାର ଟଙ୍କା ଲେଖାଏଁ ଆଡ୍‌ଭାନ୍ସ ଦେଇଥିଲା।

ଲିଜା ମାଝୀ ଓ ଧନିଦାସ ମାଝୀଙ୍କ ସହିତ ସମସ୍ତେ ଶ୍ରମିକ ଆନ୍ଧ୍ରର ୱାରଙ୍ଗଲ ଷ୍ଟେସନରେ ଓହ୍ଲାଇଥିଲେ। ସମସ୍ତେ ଟ୍ରାକ୍‌ ଅତିକ୍ରମ କରୁଥିବା ବେଳେ ଏକ ଟ୍ରେନ୍‌ ସ୍ୱାମୀ ଓ ସ୍ତ୍ରୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଦୁର୍ଘଟଣା ସ୍ଥଳରେ ଲିଜା ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଧନିଦାସ ମାଝୀ ଗୁରୁତର ଆହତ ହୋଇଥିଲେ। ରେଳବାଇ ପୁଲିସ ଧନିଦାସ ମାଝୀଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

Advertisment

ମେଡ଼ିକାଲ୍‌ରେ ଚିକିତ୍ସା ଚାଲିଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ଧନିଦାସ ମାଝୀ। ତା’ପରଠାରୁ ତାଙ୍କର ପତ୍ତା ମିଳୁନି। ଧନିଦାସ ମାଝୀଙ୍କୁ ଦଲାଲ ମେଡ଼ିକାଲ୍‌ରୁ ମେଡ଼ିକାଲ୍‌ରୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଦାଦନ ସର୍ଦ୍ଦାର ଉଭୟଙ୍କୁ ଆଗୁଆ ଲକ୍ଷେ ଟଙ୍କା ଦେଇଥିବାରୁ ଅପହରଣ କରିଥିବା ଚର୍ଚ୍ଚା ହେଉଛି।

ଆଜି ହଠାତ୍‌ ଗାଁ ମୁଣ୍ଡରେ ଆମ୍ୱୁଲାନ୍ସ ପହଞ୍ଚିଲା। ଗାଁରେ ଆମ୍ୱୁଲାନ୍ସ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ତା’ପରେ ଶୁଣିବାକୁ ମିଳିଲା ଗାଁକୁ ଆସିଛି ଦାଦନ ଖଟିବାକୁ ଯାଇଥିବା ଲିଜା ମାଝୀଙ୍କ ମୃତଦେହ। ହେଲେ ଦେଖିବାକୁ ମିଳିନଥିଲା ସ୍ୱାମୀ ଧନିଦାସ ମାଝୀଙ୍କୁ। ଗାଁ ଲୋକେ ପ୍ରଥମେ ବିସ୍ମିତ ହୋଇଥିଲେ। ତା’ପରେ ଧୀରେଧୀରେ ଆମ୍ୱୁଲାନ୍ସ ପାଖକୁ ଆସିଥିଲେ। ପୂରା ଘଟଣା ଜାଣିବାକୁ ପାଇଥିଲେ। ଦୁର୍ଘଟଣା ପରେ କୁଆଡ଼େ ଦାଦନ ସର୍ଦ୍ଦାର ମୃତଦେହକୁ ଆମ୍ୱୁଲାନ୍ସରେ ଗାଁକୁ ପଠାଇ ଦେଇଛି।

ଲିଜାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲା ପୂରା ଗାଁ। ପରେ ଆଦିବାସୀ ପରମ୍ପରା ଅନୁସାରେ ଶବ ସତ୍କାର କରିଛନ୍ତି। ମାଆଙ୍କ ମୃତ୍ୟୁ ପରେ ବାପାଙ୍କ ପତ୍ତା ମିଳୁନି। ଏପରି ସ୍ଥିତିରେ ଛୋଟଛୋଟ ୩ ପିଲା କେମିତି ଚଳିବେ? କେମିତି ପାଠ ପଢ଼ିବେ? କେମିତି ଆଗକୁ ବଢ଼ିବେ? ସେହି ଚିନ୍ତାରେ ସାହି ପଡ଼ିଶା ଲୋକ।

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ୍‌

Accident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe