/odisha-reporter/media/post_attachments/uploadimage/library/16_9/16_9_0/IMAGE_1723985446.jpg)
Indian-Origin Couple
ସଡ଼କ ଦୁର୍ଘଟଣାରେ ଛାରଖାର ହୋଇଯାଇଛି ଗୋଟିଏ ପରିବାର। ଭୟଙ୍କର କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବାପା ମା’ ଓ ଝିଅ। ସୌଭାଗ୍ୟବଶତଃ ଦମ୍ପତିଙ୍କ ୧୪ ବର୍ଷୀୟ ପୁଅ ବଞ୍ଚି ଯାଇଛି। କିନ୍ତୁ ପରିବାର ଲୋକଙ୍କ ହରାଇ ପିଲାଟି ଏବେ ବେସାହାରା ହୋଇଯାଇଛି।
ଆମେରିକାର ଟେକ୍ସାସରେ ଘଟିଥିବା କାର ଦୁର୍ଘଟଣାରେ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଛି। ୪୫ ବର୍ଷୀୟ ଅରବିନ୍ଦ ମଣି, ତାଙ୍କ ପତ୍ନୀ ୪୦ ବର୍ଷୀୟ ପ୍ରଦୀପା ଓ ୧୭ ବର୍ଷର ଝିଅ ଆଣ୍ଡ୍ରିଲ ଅରବିନ୍ଦ କାର ଦୁର୍ଘଟଣାରେ ଆଖି ବୁଜିଛନ୍ତି।
ବୁଧବାର ଭୋର ୫.୪୫ରେ ଲାମପାସ କାଉଣ୍ଟୀରେ ସେମାନଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସଂପୂର୍ଣ୍ଣ ଜଳି ଯାଇଛି। ଏହା ମଧ୍ୟରେ ଥିବା ପରିବାରର ସମସ୍ତ ୩ ଜଣ ସଦସଦ୍ୟ ଘଟଣା ସ୍ଥଳରେ ହିଁ ଆଖି ବୁଜିଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଘଟଣା ବେଳେ ଅରବିନ୍ଦଙ୍କ ୧୪ ବର୍ଷୀୟ ପୁଅ ଆଦିରାୟନ ଗାଡ଼ିରେ ନଥିଲେ। ଫଳରେ ସେ ଏବେ ପରିବାର ଏକମାତ୍ର ସଦସ୍ୟ ଭାବେ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି। ତେବେ ସେ ବେସାହାରା ହୋଇଯାଇଥିବାରୁ ତାଙ୍କ ପାଇଁ GoFundMe ପେଜ୍ ତିଆରି କରି ଆର୍ଥିକ ସହାୟତା ଯୋଗାଡ଼ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ପେଜ ଦ୍ୱାରା ୭୦୦,୦୦୦ ଡଲାର ଯୋଗାଡ଼ ହୋଇସାରିଲାଣି।
ମିଳିଥିବା ସୂଚନା ଅନୁସାରେ, ଅରବିନ୍ଦ ଓ ତାଙ୍କ ପତ୍ନୀ ଝିଅ ଆଣ୍ଡ୍ରିଲଙ୍କୁ ଉତ୍ତର ଟେକ୍ସାସ ସ୍ଥିତ କଲେଜକୁ ଛାଡ଼ିବାକୁ ଯାଉଥିଲା। ନିକଟରେ ଆଣ୍ଡ୍ରିଲ ନିଜର ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ ଓ ସେ ଡାଲାସ ବିଶ୍ୱବିଦ୍ୟାଳୟରେ ନିଜର ପ୍ରଥମ କ୍ଲାସ କରିବାକୁ ଯାଉଥିଲେ। ସେଠାରେ ସେ କମ୍ପ୍ୟୁଟର ସାଇନ୍ସ ଉପରେ ପଢ଼ିବାର ଥିଲା।
ପୁଲିସ୍ କହିଛି ଯେ ଲାମପାସ କାଉଣ୍ଟୀରେ ଘଟିଥିବା ସଡ଼କ ଦୁର୍ଘଟଣାରେ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି। ଅରବିନ୍ଦଙ୍କ ପରିବାର ବର୍ଗଙ୍କ କାରକୁ ଧକ୍କା ଦେଇଥିବା କାରର ଡ୍ରାଇଭର ଓ ଆଉ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ଅରବିନ୍ଦଙ୍କ ଗାଡ଼ିକୁ ଧକ୍କା ଦେଇଥିବା ଗାଡ଼ିର ବେଗ ଘଣ୍ଟାପ୍ରତି ବେଗ ପ୍ରାୟ ୧୬୦ କିମି ଥିଲା। ସେହିପରି ଅରବିନ୍ଦ ଘଣ୍ଟା ପ୍ରତି ୧୧୨ କିମି ବେଗରେ ଗାଡ଼ି ଚଳାଉଥିଲେ। ଲାମପାସ କାଉଣ୍ଟୀ ଠାରେ ଦୁଇ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଇ ଗାଡ଼ିର ବେଗ ଅଧିକ ଥିବାରୁ ଅରବିନ୍ଦଙ୍କ କାରରେ ନିଆଁ ଲାଗି ଯାଇଥିଲା। ଏହା ୨୬ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର କାର ଦୁର୍ଘଟଣା ବୋଲି ପୁଲିସ୍ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
