Advertisment

ସ୍କୁଲ୍‌ରେ ମାରିଲା ବିଜୁଳି

ସ୍କୁଲର ଯେଉଁ ଶ୍ରେଣୀ ଗୃହ ଉପରେ ବଜ୍ରପାତ ହୋଇଥିଲା, ସେଠାରେ ସେତେବେଳେ ୩୫ରୁ ଅଧିକ ଛାତ୍ରଛାତ୍ରୀ ଥିଲେ।

author-image
Jitendra Garnayak
School

School

କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ତୋଟାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଜ୍ରପାତ ହେବାରୁ ଜଣେ ପାଚିକା ଗୁରୁତର ଆହତ ହୋଇଛନ୍ତି। ତେବେ ସୌଭାଗ୍ୟ ବଶତଃ କୌଣସି ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କର କିଛି ହୋଇନାହିଁ।

Advertisment

ଆଜି ସ୍କୁଲ୍‌ରେ ପାଠପଢ଼ା ଚାଲିଥିବା ବେଳେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ସେହି ସମୟରେ ସ୍କୁଲର ଗୋଟିଏ କୋଠରୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଥିଲା। ସେଠାରେ ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆଉ ସେହି ଶ୍ରେଣୀ ଗୃହ ଉପରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଉକ୍ତ ଶ୍ରେଣୀ ଗୃହର ଫ୍ୟାନ୍ ଛିଣ୍ଡି ତଳେ ପଡ଼ିଯିବା ସହିତ ବିଦ୍ୟୁତ୍ ବୋର୍ଡ ଓ ତାର ପୋଡ଼ି ଯାଇଛି। ତା’ ସହିତ ଶ୍ରେଣୀ ଗୃହର କାନ୍ଥ ଫାଟି ଯାଇଛି। ତେବେ କୌଣସି ଛାତ୍ରଛାତ୍ରୀଙ୍କର କିଛି ହୋଇ ନାହିଁ। ସେମାନେ ସୁରକ୍ଷିତ ଅଛନ୍ତି। କିନ୍ତୁ ରୋଷେଇ ଘରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ପାଚିକା ଶାନ୍ତିଲତା ମହାନ୍ତି ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍କୁଲର ଅନ୍ୟାନ୍ୟ ଶ୍ରେଣୀ ଗୃହରେ ଲାଗିଥିବା ଫ୍ୟାନ, ଲାଇଟ୍ ଓ ବିଦ୍ୟୁତ୍ ତାର ପୋଡ଼ି ଯାଇଛି।

ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଲତା ଦେଇ କହିଛନ୍ତି ଯେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ସେ ନିଜେ ଶ୍ରେଣୀ ଗୃହରେ ଉପସ୍ଥିତ ଥିଲେ। ପ୍ରଥମ ବିଜୁଳି ମାରିବାରୁ ସେ ଶ୍ରେଣୀ ଗୃହର ଫ୍ୟାନ୍ ଓ ଲାଇଟ୍ ସୁଇଚ୍ ବନ୍ଦ କରି ଦେଇଥିଲା। ତା’ ସହିତ ପିଲାଙ୍କୁ କାନ୍ଥରୁ ଦୂରେଇ ବସିବାକୁ କହିଥିଲେ। କିନ୍ତୁ ତା’ ପରେ ପରେ ଜୋରରେ ଏକ ବିଜୁଳି ମାରିଥିଲେ। ସେମାନେ ସମସ୍ତେ ଥରି ଯାଇଥିଲେ। ବିଦ୍ୟୁତ୍ ବୋର୍ଡ ପୋଡ଼ି ଧୂଆଁ ବାହାରି ଯାଇଥିଲା। ସେ ପିଲାମାନଙ୍କ ଧରି ତୁରନ୍ତ ସେହି ଶ୍ରେଣୀ ଗୃହରୁ ବାହାରି ଯାଇଥିଲେ। 

Advertisment

ସ୍କୁଲର ସହକାରୀ ଶିକ୍ଷକ ରମେଶଚନ୍ଦ୍ର ସ୍ୱାଇଁ କହିଛନ୍ତି, ବିଜୁଳି ମାରିବାରୁ ସ୍କୁଲର ଫ୍ୟାନ, ଲାଇଟ୍, ସର୍ଭିସ ତାର ସବୁ ପୋଡ଼ି ଯାଇଛି। କାନ୍ଥ ଫାଟି ଯାଇଛି। ପିଲାମାନଙ୍କର କିଛି କ୍ଷତି ହୋଇନି। ଘଟଣା ସଂପର୍କରେ ଆମେ ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରାଇଥିଲୁ। ଏବିଇଓଙ୍କ ନିର୍ଦ୍ଦେଶକ୍ରମେ ସିଆରସିସି ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଘଟଣା ପରେ ପିଲାମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିଲା।

Lightning Death Lightning Strike