Advertisment

ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି

ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Family of deceased

Family of deceased

ତହସିଲଦାରଙ୍କ ଗାଡ଼ି ବାଇକରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଲା। ଏହାପରେ କାର ତଳେ ବ୍ୟକ୍ତିଙ୍କୁ ୩୦ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା। ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପୟାଗପୁରର ମୃତକ ନରେନ୍ଦ୍ର କୁମାର ହାଲଦାର ନିଜ ଘରକୁ ଫେରୁଥିବାବେଳେ ନାନପରା-ବହରାଇଚ ରାସ୍ତାରେ ନାଇବ ତହସିଲଦାରଙ୍କ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଏହାପରେ ତାଙ୍କୁ ୩୦ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନାନପରା ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନେଇଯାଇଥିଲା। 

Advertisment

ପୁଲିସ କହିବା ଅନୁସାରେ ନାନପରା ନାଇବ ତହସିଲଦାରଙ୍କ ଗାଡ଼ି କୌଣସି କାର୍ଯ୍ୟରେ ବହରାଇଚ ଆସିଥିଲା। ଏହି ଗାଡ଼ି ଯେତେବେଳେ ବାଇକରେ ଯାଉଥିବା ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା, ବ୍ୟକ୍ତି ଜଣକ କାର ତଳେ ଫସି ଯାଇଥିଲେ। ଏହାପରେ ତହସିଲଦାରଙ୍କ ଗାଡ଼ି ସେଠାରେ ନଅଟକି ନିଜ ରାସ୍ତାରେ ଚାଲିଯାଇଥିଲା। ଦୁର୍ଘଟଣା ସମୟରେ ଗାଡ଼ି ଭିତରେ ନାଇବ ତହସିଲଦାର ଶୈଳେଶ କୁମାର ଅୱସ୍ତି ଉପସ୍ଥିତ ଥିଲେ ବୋଲି କୁହାଯାଉଛି। ଯେଉଁଥିପାଇଁ ବହରାଇଚ ଜିଲ୍ଲାପାଳ ମୋନିକା ରାଣୀ ତହସିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବନ ମଧ୍ୟ କରିଛନ୍ତି। ସେପଟେ ଗାଡ଼ିର ଡ୍ରାଇଭର ମେରାଜ ଅହମ୍ମଦକୁ ଗିରଫ କରିଛି ପୁଲିସ।

ଏହି ଘଟଣାକୁ ନେଇ ଜିଲ୍ଲାପାଳ କହିଛନ୍ତି ଯେ ଏହି ଦୁର୍ଘଟଣା ମୋ ଦୃଷ୍ଟିକୁ ଆସିଛି। ନାନପରାର ନାଇବ ତହସିଲଦାର ନିଜ ସରକାରୀ ଗାଡ଼ିରେ ବହରାଇଚ ଆସିଥିଲେ। ସେ ନାନପରା ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ତହସିଲଦାରଙ୍କ କହିବା ମୁତାବକ ସେ ଏହି ବିଷୟରେ ଜାଣିନଥିଲେ। ହେଲେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

Advertisment

ସ୍ଥାନୀୟ ଏସପିଙ୍କ କହିବା ମୁତାବକ ଯେତେବେଳେ ମୃତକ ନରେନ୍ଦ୍ର ହାଲଦାରଙ୍କ ଲୋକେସନ ଟ୍ରାକ କରାଯାଇଥିଲା, ସେତେବେଳେ ତାଙ୍କୁ ନାନପରା ତହସିଲ ପର୍ଯ୍ୟନ୍ତ ତହସିଲଦାରଙ୍କ ଗାଡ଼ି ଘଷାଡ଼ି ନେଇଥିବା ସ୍ପଷ୍ଟ ହୋଇଥିଲା। ଗୋଟିଏ ଗାଡ଼ି ତଳେ ଜଣେ ବ୍ୟକ୍ତିଙ୍କୁ ୩୦ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନିଆଯାଇଥିବା ସତ୍ତ୍ୱେ କେହି ଜାଣି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଏସପି କହିଛନ୍ତି। ଭୟରେ ତହସିଲଦାରଙ୍କ ଗାଡ଼ି ଅଟକି ନଥିବା ସେ ସନ୍ଦେହ କରିଛନ୍ତି। ତେବେ ସେହି ୩୦ କିଲୋମିଟର ରାସ୍ତା ଭିତରେ ଥିବା ସମସ୍ତ ସିସିଟିଭି ଯାଂଚ କରାଯାଇ ଅଧିକ ତଦନ୍ତ କରାଯାଉଥିବା ପୁଲିସ କହିଛି।

Uttar Pradesh Accident Tehsildar Car Accident Man Dragged For 30kms Under Car