Advertisment

ଥାନା ପରିସରରେ ସାପ କାମୁଡ଼ାରେ ସାପ ଧରାଳିଙ୍କ ମୃତ୍ୟୁ

ଜଣଙ୍କ ଘରୁ ସାପଟିକୁ ଧରିବା ପରେ କୌଣସି କାମରେ ଥାନାକୁ ଆସିଥିଲେ। ସେଠାରେ ଡବାରୁ ସାପଟିକୁ ବାହାର କରି ଖେଳ ଦେଖାଇଥିଲେ। ତା’ପରେ ସାପଟିକୁ ଡବାରେ ଭର୍ତ୍ତି କରୁଥିବା ବେଳେ ଘଟିଥିଲା ଅଘଟଣ।

author-image
Jitendra Garnayak
ଅଦ୍ୟତନ ହୋଇଛି
Snake

Snake

ନାଗ ସାପ କାମୁଡ଼ାରେ ଜଣେ ସାପ ଧରାଳିଙ୍କର ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଘଟିଛି ଏହି ଘଟଣା। ମୃତ ସାପ ଧରାଳିଙ୍କ ନାଁ ଗୌର ଜଗଦଲା। ସେ ମେଣ୍ଡାମାଳ ଗାଁର ବାସିନ୍ଦା ଥିଲେ। 

Advertisment

ଚମ୍ପମାଳ ଗାଁରେ ଆଜି ଜଣଙ୍କ ଘରେ ସାପ ପଶିଯାଇଥିବା ଖବର ପାଇ ସେଠାକୁ ଯାଇଥିଲେ ଗୌର ଜଗଦଲା। ସେଠାରେ ସେ ସାପଟିକୁ ଧରିବାରେ ସଫଳ ହୋଇଥିଲେ। ସାପକୁ ଧରି ଫେରିବା ବାଟରେ ସେ ବୀରମହାରାଜପୁର ଥାନାକୁ କିଛି କାମରେ ଯାଇଥିଲେ। ଥାନାରେ କାମ ସାରିବା ପରେ ଉପସ୍ଥିତ ପୁଲିସ୍ କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ସାପଟିକୁ ଦେଖାଇବାକୁ ଆଗ୍ରହ ପ୍ରକାଶ କରିଥିଲେ ଗୌର ଜଗଦଲ। ସେଥିପାଇଁ ସେ ପ୍ଲାଷ୍ଟିକ୍ ଡବାରେ ଭର୍ତ୍ତି କରି ରଖିଥିବା ସାପଟିକୁ ବାହାର କରିଥିଲେ। ଲୋକଙ୍କୁ ଖେଳ ଦେଖାଇ ଗୌର ଜଗଦଲା ପୁଣି ସାପଟିକୁ ପ୍ଲାଷ୍ଟିକ୍ ଡବାରେ ଭର୍ତ୍ତି କରୁଥିବା ବେଳେ ସାପଟି ତାଙ୍କ ହାତକୁ କାମୁଡ଼ି ଦେଇଥିଲା। ଥାନାରୁ ଜଣେ ବ୍ୟକ୍ତି ତାଙ୍କୁ ବାଇକ୍‌ରେ ସୋନପୁର ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।   

ଗୌର ୧୫ ବର୍ଷରୁ ଅଧିକ ସମୟ ହେଲା ଲୋକଙ୍କ ପାଖରୁ ଖବର ପାଇ ସାପ ଧରିବାକୁ ଯାଉଥିଲେ। ବିଷଧର ସାପଗୁଡ଼ିକ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଉଥିଲେ। ହେଲେ ଆଜି ଅସାବଧାନତା କାରଣରୁ ତାଙ୍କୁ ସାପ କାମୁଡ଼ି ଦେଇଥିଲେ। ସେ ଥାନାରେ ସାପଟିକୁ କିଛି ସମୟ ଖେଳାଇ ପ୍ଲାଷ୍ଟିକ୍ ଡବାରେ ଭର୍ତ୍ତି କରୁଥିବା ବେଳେ ଉପସ୍ଥିତ ପୁଲିସ୍ ଓ ଲୋକଙ୍କ ଆଡ଼କୁ ଚାହିଁ କଥା ହେଉଥିଲେ। ଆଉ ସେହି ସମୟରେ ସାପଟି ଡବାରୁ ବାହାରି ତାଙ୍କର ଏକ ହାତର ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। 

Advertisment

ସୂଚନା ଅନୁଯାୟୀ, ଗୌର ସାପ ଧରିବାକୁ କୌଣସି ତାଲିମ ପାଇ ନଥିଲେ। ବନ ବିଭାଗର ନିୟମ ମୁତାବକ ପଂଜିକରଣ ପାଇଁ ସେ ଅନେକ ଥର ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ତାଙ୍କର ପଂଜିକରଣ ଏପର୍ଯ୍ୟନ୍ତ ହୋଇନଥିଲା।

ତେବେ ଗୌର ଜଗଦଲା ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାହିଁକି ସାପ ଧରି ଥାନାକୁ ଯାଇଥିଲେ ମୃତ ଗୌର ଜଗଦଲା? ଥାନାରେ ପ୍ଲାଷ୍ଟିକ ଡବାରୁ ସାପକୁ କାଢ଼ିଥିଲେ କାହିଁକି ? ପୁଲିସ କର୍ମଚାରୀ ତାଙ୍କୁ ସାପ ଦେଖାଇବାକୁ କହିଥିଲେ କି ? ଯଦି ସେ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରିଥିଲେ, ଉପସ୍ଥିତ ପୁଲିସ୍ କର୍ମଚାରୀ କାହିଁକି ମନା କଲେ ନାହିଁ? ଗୌରଙ୍କୁ ବାରଣ କରିବା ପରିବର୍ତ୍ତେ ସମସ୍ତେ ମନୋରଞ୍ଜନ କରୁଥିଲେ। ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? ବୀରମହାରାଜପୁର ଥାନା ପୁଲିସ କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରାଯିବ ନାହିଁ କି ? 

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Snake Bite