Air Crash
ଆମେରିକାରେ ଘଟିଛି ଭୟଙ୍କର ଦୁର୍ଘଟଣା। ମଝି ଆକାଶରେ ଗୋଟିଏ ଯାତ୍ରୀବାହୀ ବିମାନ ସହ ପିଟି ହୋଇଯାଇଛି ଆର୍ମି ହେଲିକପ୍ଟର। ମଝି ଆକାଶରେ ଦୁର୍ଘଟଣା ଯୋଗୁ ବିମାନ ଓ ହେଲିକପ୍ଟର ନିକଟସ୍ଥ ନଦୀରେ ଖସି ପଡ଼ିଛି। ୩୦୦ରୁ ଅଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ନଦୀ ମଧ୍ୟରୁ ୧୯ ଜଣଙ୍କ ମୃତଦେହ ମିଳିଛି। ଯାତ୍ରୀବାହୀ ବିମାନରେ ୬୦ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ରହିଥିଲେ। ସେହିପରି ଆର୍ମି ହେଲିକପ୍ଟରରେ ୩ ଜଣ ସେନା ଅଧିକାରୀ ରହିଥିଲେ।
କେମିତି ଘଟିଲା ଦୁର୍ଘଟଣା?
ଭାରତୀୟ ସମୟ ଗୁରୁବାର ସକାଳ(ଆମେରିକୀୟ ସମୟ ରାତି ୯ଟା) ସମୟରେ ବ୍ୟବସାୟିକ ବିମାନ ଓ ଆର୍ମିର ଗୋଟିଏ ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ବିମାନଟି ୱାଶିଂଟନ ଡିସି ନିକଟ ରୋନାଲଡ ରେଗାନ ୱାଶିଂଟନ ନ୍ୟାଶନାଲ ଏୟାରପୋର୍ଟରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏପରି ଘଟଣା ଘଟିଛି। ଦୁର୍ଘଟଣା ପରେ ବିମାନ ଓ ହେଲିକପ୍ଟର ପୋଟୋମାକ ନଦୀରେ ଖସି ପଡ଼ିଛି। ନଦୀରୁ ୧୯ ଜଣଙ୍କ ମୃତଦେ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି।
ଦୁର୍ଘଟଣା ଆମେରିକାନ ଏୟାରଲାଇନ୍ସ ରିଜନାଲ ଫ୍ଲାଇଟ ଓ ଆମେରିକା ଆର୍ମି ବ୍ଲାକ ହକ ହେଲିକପ୍ଟର ମଧ୍ୟରେ ହୋଇଛି। ୱାଶିଂଟନ ଡିସିର ମେୟର ଏମ ବ୍ରାଉଜର କହିଛନ୍ତି, “ଉଭୟ ବିମାନ ଓ ହେଲିକପ୍ଟର ଏବେ ବି ନଦୀ ମଧ୍ୟରେ ରହିଛି। ନଦୀରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଫୋକସ କରାଯାଉଛି। ବିମାନରେ ୬୪ ଜଣ ଓ ହେଲିକପ୍ଟରରେ ୩ ଜଣ ସେନା କର୍ମଚାରୀ ଥିଲେ। ଏବେ ଆମେ ଆଉ କିଛି ତଥ୍ୟ ଦେବାକୁ ଚାହୁଁନାହୁଁ।” ଘଟଣା ପରେ ଏୟାରପୋର୍ଟର ସମସ୍ତ ପ୍ରକାରର ଟେକଅଫ ଓ ଲ୍ୟାଣ୍ଡିଂକୁ ବାତିଲ କରିଦିଆଯାଇଛି।
କାହିଁକି ତଳକୁ କିମ୍ବା ଉପରକୁ ଗଲାନି ଆର୍ମି ହେଲିକପ୍ଟର?
ବ୍ୟବସାୟିକ ବିମାନ ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସାମ୍ନାକୁ ଆସୁଥିବା ଆର୍ମି ହେଲିକପ୍ଟର ସହ ଏହାର ମୁହାଁମୁହିଁ ଧକ୍କା ହୋଇଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ବିମାନକୁ ଦେଖି ସେଠାରେ ଚକର କାଟୁଥିବା ସେନା ହେଲିକପ୍ଟର ନିଜର ଗତିପଥ ବଦଳାଇଲା ନାହିଁ? ବିମାନ ଆସୁଥିବା ଜାଣି ମଧ୍ୟ ଏୟାର ଟ୍ରାଫିକ କଣ୍ଟ୍ରୋଲର କାହିଁକି ହେଲିକପ୍ଟରର ଦିଗ ବଦଳାଇଲା ନାହିଁ? ହେଲିକପ୍ଟରଟି ଚାହିଁଥିଲେ ଉପରକୁ, ତଳକୁ କିମ୍ବା ସାଇଡକୁ ବୁଲି ପାରି ଥାଆନ୍ତା। କିନ୍ତୁ କାହିଁକି ସେନା ହେଲିକପ୍ଟର ଏପରି କଲା ନାହିଁ?
ବିମାନଟି ଉପଯୁକ୍ତ ଢଙ୍ଗରେ ଓ ନିୟମିତ ଆକାଶ ପଥରେ ଏୟାରପୋର୍ଟ ଆଡ଼କୁ ଆସୁଥିଲା। ହେଲିକପ୍ଟରଟି ସିଧା ବିମାନ ଆଡ଼କୁ ବେଶ କିଛି ସମୟ ଧରି ମାଡ଼ି ଚାଲିଥିଲା। ଘଟଣା ବେଳେ ଆକାଶ ପଥ ସଂପୂର୍ଣ୍ଣ ପରିଷ୍କାର ରହିଥିଲା। ବିମାନର ଲାଇଟ ମଧ୍ୟ ଜଳୁଥିଲା। ତଥାପି ହେଲିକପ୍ଟର ପାଇଲଟ କେମିତି ଏହାକୁ ଦେଖି ପାରିଲେ ନାହିଁ? କାହିଁକି ହେଲିକପ୍ଟରଟି ଉପରକୁ, ତଳକୁ କିମ୍ବା ଟର୍ଣ୍ଣ କଲା ନାହିଁ?
କଣ୍ଟ୍ରୋଲ ଟାୱାର କ’ଣ କରାଯିବ ନ କହି କାହିଁକି ହେଲିକପ୍ଟର ପାଇଲଟଙ୍କୁ ବିମାନ ଦେଖାଯାଉଛି କି ନାହିଁ ପ୍ରଶ୍ନ କରିଥିଲେ। ସବୁ କିଛିକୁ ଦେଖିଲେ ଲାଗୁଛି ଯେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା। ଏହା ଆଦୌ ଭଲ କଥା ନୁହେଁ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଫ୍ଲାଇଟର ରେଡିଓ ଟ୍ରାନ୍ସପଣ୍ଡର ତଥ୍ୟ ଦର୍ଶାଉଛି ଯେ ବିମାନଟି ଭୂପୃଷ୍ଠରୁ ୪୦୦ ଫୁଟ ଉପରେ ଥିଲା। ଏହା ଘଣ୍ଟା ପ୍ରତି ୧୪୦ କିମି ବେଗରେ ଯାଉଥିଲା। କିନ୍ତୁ ପୋଟୋମାକ ନଦୀ ଉପରେ ହେଲିକପ୍ଟରରେ ଧକ୍କା ହେବାରୁ ଏହା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା।
ଘଟଣା ପରେ ଫେଡଲାର ଆଭିଏସନ ଅଥୋରିଟି (ଏଫଏଏ) ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ସେହିପରି ଜାତୀୟ ପରିବହନ ସୁରକ୍ଷା ବୋର୍ଡ ମଧ୍ୟ ଘଟଣାରେ ଅଧିକ ତଥ୍ୟ ଯୋଗାଡ଼ କରୁଥିବା କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Air_Crash_1738225412.jpg)