Advertisment

ଅସହାୟ ବ୍ୟବସ୍ଥା; ରୋଗୀଣା ବାପାଙ୍କୁ ଟ୍ରଲିରେ ୩୫ କିମି ବୋହିଲେ ଝିଅ!

ବାପାଙ୍କ ଯନ୍ତ୍ରଣାକୁ ଦେଖି ସହ୍ୟ କରିପାରୁନଥିଲେ ଦଶମ ଶ୍ରେଣୀରେ ପଢୁଥିବା ଝିଅ ସୁଜାତା ସେଠୀ। ସାହି ପଡ଼ିଶାଙ୍କୁ କେତେ ନେହୁରା ହୋଇଥିଲେ। ହେଲେ କେହି ଶୁଣିଲେନାହିଁ। ପାଖରେ ମୋବାଇଲ୍‌ ନାହିଁ

author-image
Manoranjan Sial
ଅଦ୍ୟତନ ହୋଇଛି
Bhadrak

Bhadrak

ରୋଗୀଣା ବାପାଙ୍କୁ ଟ୍ରଲିରେ ୩୫ କିମି ବୋହିଲେ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ! ଖାଲି ବୋହିଲେନି, ମେଡ଼ିକାଲ୍‌ରେ ଭର୍ତ୍ତି କଲେ ଓ ଡାକ୍ତରଙ୍କୁ ଦେଖାଇଲେ। ଭଦ୍ରକରୁ ଆସିଛି ଏପରି ବିଚଳିତ କରିଲା ଭଳି ଚିତ୍ର। ଯାହା ବୁଦ୍ଧିଜୀବୀଙ୍କ ହୃଦୟକୁ ଦୋହଲାଇ ଦେଇଛି। ଆଉ ସରକାର କରିଥିବା ମାଳମାଳ ଯୋଜନାକୁ କାଠଗଡାକୁ ଟାଣିଛି!

Advertisment

ଧୁଷୁରୀ ଥାନା ନଦୀଗାଁର ଶମ୍ଭୁନାଥ ସେଠୀ ପେଶାରେ ଜଣେ ଟ୍ରଲି ଚାଳକ। ଟ୍ରଲି ଚାଳନା କରି ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର। ହେଲେ ଗତ ୨୨ ତାରିଖରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଜମିବାଡ଼ି ବାବଦକୁ ନେଇ ତାଙ୍କୁ କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶମ୍ଭୁନାଥ ସେଠୀଙ୍କ ହାତ ଭାଙ୍ଗି ଯାଇଥିଲା। ଉଠି ପାରୁନଥିଲେ। ଅସହ୍ୟ ଯନ୍ତ୍ରଣା ହେଉଥିଲା।

ବାପାଙ୍କ ଯନ୍ତ୍ରଣାକୁ ଦେଖି ସହ୍ୟ କରିପାରୁନଥିଲେ ଦଶମ ଶ୍ରେଣୀରେ ପଢୁଥିବା ଝିଅ ସୁଜାତା ସେଠୀ। ସାହି ପଡ଼ିଶାଙ୍କୁ କେତେ ନେହୁରା ହୋଇଥିଲେ। ହେଲେ କେହି ଶୁଣିଲେନାହିଁ। ପାଖରେ ମୋବାଇଲ୍‌ ନାହିଁ। ଆମ୍ୱୁଲାନ୍ସ ପାଇଁ ୧୦୨ ଓ ୧୦୮କୁ ଫୋନ୍‌ କରିବାକୁ ସାହି ପଡ଼ିଶାଙ୍କୁ କେତେ ଗୁହାରୀ କରିଥିଲେ ସୁଜାତା।

Advertisment

ସବୁଆଡୁ ନିରାଶ ହେବା ପରେ ବାପାଙ୍କ ଟ୍ରଲିକୁ ଶେଷ ଭରସା ଭାବିଲେ ସୁଜାତା। ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବାପାଙ୍କୁ ନିଜ ଟ୍ରଲିରେ ଶୋଆଇ ଘରଠାରୁ ୧୩ କିମି ଦୂରରେ ଥିବା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର। ତା’ପର ଦିନ ଅର୍ଥାତ ୨୩ ତାରିଖରେ ଧାମନଗରରୁ ବାପାଙ୍କୁ ଧରି ଟ୍ରଲିରେ ଭଦ୍ରକ ଅଭିମୁଖେ ବାହାରିଥିଲେ ସୁଜାତା। ଦୀର୍ଘ ୨୨ କିମି ଟ୍ରଲିରେ ଯାତ୍ରା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲେ ସୁଜାତା।

ବାପା ଶମ୍ଭୁଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ କାକୁତି ମିନତି ହୋଇଥିଲେ। ଏହା ପରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ମାତ୍ର ଅସ୍ତ୍ରୋପଚାର କରିନଥିଲେ। ୭ ଦିନ ପରେ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର କହିଥିଲେ। ଏଥିସହ ତାଙ୍କୁ ଡିସଚାର୍ଜ କରିଦେଇଥିଲେ। ତେଣୁ ଆଜି ବାପାଙ୍କୁ ଟ୍ରଲିରେ ଧରି ଘରକୁ ଫେରୁଥିଲେ ସୁଜାତା। ବ୍ୟସ୍ତବହୁଳ ରାସ୍ତାରେ ଏପରି ଚିତ୍ର ଦେଖି କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଅଟକାଇ ପଚାରି ଥିଲେ। ତା’ପରେ ସବୁ ବଖାଣିଥିଲେ ସୁଜାତା। ଝିଅଠାରୁ ସବୁ କଥା ଶୁଣିବା ପରେ ହତବାକ ହୋଇଥିଲେ ଗଣମାଧ୍ୟମ ପ୍ରତିନିଧି।

ବାପା-ଝିଅଙ୍କ ସହିତ ଗଣମାଧ୍ୟମ ପ୍ରତିନିଧିମାନେ କଥାବାର୍ତ୍ତା ହେଉଥିବା ବେଳେ ସେଠାରେ ପହଞ୍ଚିଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ବାପ-ଝିଅଙ୍କଠାରୁ ସବୁ କଥା ଶୁଣିବା ପରେ ବିଧାୟକ ସଞ୍ଜୀବ ମଲ୍ଲିକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ୍‌ କରିଥିଲେ। ବିଧାୟକଙ୍କ ଫୋନ୍‌ କଲ ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ। ଏଥିପାଇଁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ତାଗିଦ କରିଥିଲେ।

ବିଧାୟକଙ୍କ ତାଗିଦ୍‌ ପରେ ଶମ୍ଭୁଙ୍କୁ ପୁଣି ଥରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆସନ୍ତା ଶନିବାର ତାଙ୍କର ଅସ୍ତ୍ରୋପଚାର କରାଯିବ। ସବୁ ପ୍ରକାର ସହାୟତା ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

BjD Bhadrak News Bhadrak