Advertisment

ବିଧାୟକଙ୍କ କାର ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା, ପିଅନଙ୍କ ମୃତ୍ୟୁ

ବିଧାୟକ ପରିବାର ସହିତ ପୁରୀରୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା।

author-image
Jitendra Garnayak
ଅଦ୍ୟତନ ହୋଇଛି
Accident

Accident

ଜଣେ ବିଧାୟକଙ୍କ କାର୍‌ ଓ ଜଣେ ପିଅନଙ୍କ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ପିଅନଙ୍କ ମୃତ୍ୟୁ ଘଟିଛି। ବୁଧବାର ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ।

Advertisment

ମୃତ ପିଅନଙ୍କ ନାଁ ରାଧାକାନ୍ତ ଲେଙ୍କା। ତାଙ୍କ ଘର ସାଜନପୁର ଗାଁରେ। ସେ ବାସୁଦେବପୁର ହାଇସ୍କୁଲରେ ଚାକିରି କରୁଥିଲେ।

ଅନ୍ୟପକ୍ଷରେ ବିଧାୟକ ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗର। ତାଙ୍କ ନାଁ ଗୌତମ ଚୌଧୁରୀ। ସେ ହାୱଡା ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ।

Advertisment

ଶ୍ରୀ ଚୌଧୁରୀ ତାଙ୍କ ପରିବାର ଲୋକଙ୍କ ସହିତ ପୁରୀ ଆସିଥିଲେ। ସେମାନେ ଆଜି କାର ଯୋଗେ ଫେରୁଥିଲେ।

ଜାମୁଝାଡ଼ି ନିକଟରେ ତାଙ୍କ କାର ଓ ପିଅନ ରାଧାକାନ୍ତ ଲେଙ୍କାଙ୍କ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକି ରାଧାକାନ୍ତଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରାଧାକାନ୍ତ ସ୍କୁଟି ଧରି ରଙ୍ଗରୁଟ୍‌ରେ ଯାଉଥିବା ବେଳେ ଏକ ଡାଇଭରସନ୍‌ରେ ହଠାତ୍ ଗାଡ଼ି ବୁଲାଇ ଦେଇଥିଲେ। ଫଳରେ ସେହି ସମୟରେ ଦ୍ରୁତଗତିରେ ଆସୁଥିବା କାର ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।

ବିଧାୟକଙ୍କ ସହିତ କାରରେ ଥିବା ତାଙ୍କ ପତ୍ନୀଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ବିଧାୟକଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ପରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଛାଡ଼ି ଦେଇଥିଲା ପୁଲିସ। ତେବେ କାର ଡ୍ରାଇଭରଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।