Advertisment

ମୁମ୍ୱାଇରୁ ଫେରୁଛି ମୃତଦେହ; ଲୁହରେ ଭିଜୁଛି ଘର ଅଗଣା

ନିୟମିତ କାମ ମିଳୁନଥିବାରୁ ଅନେକ ସମୟରେ ଗାଁରେ ବେକାର ହୋଇ ବୁଲୁଥିଲେ ଭଜନଲାଲ୍‌। ତେଣୁ କିଛି ମାସ ତଳେ କାମ ଅନ୍ୱୋଷଣରେ ମାୟାନଗରୀ ମୁମ୍ବାଇ ଯାଇଥିଲେ। ସେ ଘାଟକୋପର ଅଞ୍ଚଳକୁ ଦାଦନ ଶ୍ରମିକ ଭାବେ କାମ କରୁଥିଲେ।

author-image
Manoranjan Sial
Nuapada

Nuapada

ଗାଁରେ କାମ ମିଳିଲାନି। ତେଣୁ ରୋଜଗାର ପାଇଁ ମୟାନଗରୀ ମୁମ୍ୱାଇ ଯାଇଥିଲେ। ସେଠାରେ ଏକ ଠିକା ସଂସ୍ଥାରେ କାମ କରୁଥିବା ବେଳେ ଖସି ପଡ଼ି ଚାଲିଗଲା ଭଜନଲାଲ ଆଡବଙ୍ଗାଙ୍କ ଜୀବନ। ଆସନ୍ତାକାଲି ଗାଁକୁ ଫେରୁଛି ମୃତଦେହ।

Advertisment

ନୂଆପଡ଼ା ଜିଲ୍ଲା କୋମନା ଥାନା ଠୋଙ୍ଗୋ ଗାଁର ଚିତ୍ରୁ ଆଡବଙ୍ଗ। ବୟସ ୭୦ ପାର କଲାଣି। ପରିବାର କହିଲେ ପତ୍ନୀ ରାଇମତି, ବଡ଼ପୁଅ ଖଗେଶ୍ୱର, ସାନପୁଅ ଭଜନଲାଲ ଓ ଝିଅ। ପିଲାମାନେ ଛୋଟ ଥିଲେ ମୂଲ ମଜୁରୀ ଲାଗି ପରିବାର ଚଳାଉଥିଲେ। ହେଲେ ଏବେ ତାଙ୍କ ଅଣ୍ଟାରେ ବଳ ନାହିଁ। ବାର୍ଦ୍ଧକ୍ୟତା ଯୋଗୁ ଆଖିର ଦୃଷ୍ଟିଶକ୍ତି ହରାଇଲେଣି। ତେଣୁ ପରିବାରର ବୋଝ ମୁଣ୍ଡାଇଥିଲେ ଦୁଇ ଭାଇ ଖଗେଶ୍ୱର ଓ ଭଜନଲାଲ। ଉଭୟ କାମଦାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଦୁଃଖ କଷ୍ଟରେ ଚଳୁଥିଲା ପୂରା ପରିବାର।

ହେଲେ ନିୟମିତ କାମ ମିଳୁନଥିବାରୁ ଅନେକ ସମୟରେ ଗାଁରେ ବେକାର ହୋଇ ବୁଲୁଥିଲେ ଭଜନଲାଲ୍‌। ତେଣୁ କିଛି ମାସ ତଳେ କାମ ଅନ୍ୱୋଷଣରେ ମାୟାନଗରୀ ମୁମ୍ବାଇ ଯାଇଥିଲେ। ସେ ଘାଟକୋପର ଅଞ୍ଚଳକୁ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ଜଣେ ଠିକାଦାର ପାଖରେ ରହି ବିଲ୍ଡିଂ କାମରେ ନିୟୋଜିତ ଥିଲେ। ଗତ ମଙ୍ଗଳବାର ୩୦ ତାରିଖରେ କାମ କରୁଥିବା ବେଳେ ଲିଫ୍ଟରୁ ଖସି ପଡ଼ିଥିଲେ ଭଜନଲାଲ୍‌। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କାଯାଇ ସ୍ଥାନୀୟ ମେଡ଼ିକାଲ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ମୃତ୍ୟୁ ସମ୍ପର୍କରେ ଖବର ପାଇ ଭଜନଲାଲଙ୍କ ସାଙ୍ଗ ଓ ସାଥୀମାନେ ମେଡ଼ିକାଲ୍‌ରେ ପହଞ୍ଚିଥିଲେ। ଭଜନଲାଲଙ୍କ ପରିବାର ଲୋକଙ୍କୁ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ଘରର ରୋଜଗାରିଆ ପୁଅର ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଛନ୍ତି ପରିବାର। ଗତ ଦୁଇ ଦିନ ହେଲା ଚୁଲିକୁ ହାଣ୍ଡି ଯାଉନି। ବାପା-ମାଆଙ୍କ ଆଖିର ଲୁହ ଶୁଖୁନି। ଯେଉଁ ପୁଅକୁ କାଖେଇ ଚଲାଇ ବଡ଼ କରିଥିଲେ, ବାର୍ଦ୍ଧକ୍ୟ ତା’ର ମୃତ୍ୟୁ ସୂଚନା ପାଇବାକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ପରେ ଭଜନଲାଲ କାମ କରୁଥିବା ଠିକା ସଂସ୍ଥା କୌଣସି ସହାୟତା ଦେଇନାହିଁ। ତେଣୁ ତାଙ୍କର ସାଥୀମାନେ ମୃତଦେହକୁ ଧରି ଓଡ଼ିଶା ଆସୁଛନ୍ତି। ଆସନ୍ତାକାଲି ଗାଁରେ ମୃତଦେହ ପହଞ୍ଚିବ ବୋଲି ଜଣାପଡ଼ିଛି।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ୍‌

Nuapada